ଆସନ୍ତାକାଲି ସୁପ୍ରିମକୋର୍ଟରେ କୋଟିଆ ରାୟ

ଭୁବନେଶ୍ବର, ୧୧।୨: ତେଜିବାରେ ଲାଗିଛି କୋଟିଆ ବିବାଦ। କୋରାପୁଟରେ ଥିବା ବିବାଦୀୟ ୩ ଗାଁ କାହାର, ତାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ। ଏହି ୩ଟି ଗାଁରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ ନିର୍ବାଚନ କରୁଥିବାରୁ ଏବେ ଏହି ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଏହି ମାମଲାର ଶୁଣାଶି ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ହେବ।

ଆନ୍ଧ୍ର ପ୍ରଦେଶ ଉପରେ ଓଡ଼ିଶା ସମ୍ବିଧାନର ଧାରା ୧୨୯ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗ ଆଣିଛି ଓଡ଼ିଶା। ଏ ନେଇ ଓଡ଼ିଶା ସରକାର ଏକ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ଓଡ଼ିଶା ଯୁକ୍ତି ରଖିଛି, ୧୯୬୮ରେ ଉଭୟ ରାଜ୍ୟର ସୀମା ବିବାଦ ସଂପର୍କିତ ମାମଲାରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ ପୂର୍ଣ୍ଣାଙ୍ଗ ରାୟରେ ମଧ୍ୟ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଥିଲା। ହେଲେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରି କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ କରିଛି। ତେଣୁ ପ୍ରସଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ତ୍ୱରିତ ଶୁଣାଣି ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାର ନିର୍ବାଚନ କରି ସ୍ଥିତାବସ୍ଥା ହିଁ ବଜାୟ ରଖୁଥିବା ଗତକାଲି ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ଯୁକ୍ତି ବାଢ଼ିଥିଲେ।

ପଞ୍ଚାୟତ ନିର୍ବାଚନ କରୁଥିବା କୋଟିଆର ୩ଟି ଗାଁ ଯେ ଓଡ଼ିଶାର, ସେ ଦାବି ଉପରେ ଜୋର ଦେଇଛନ୍ତି ସବୁ ରାଜ୍ୟନୈତିକ ଦଳ। ହେଲେ କୋଟିଆରେ ଆଜି ଏ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। କିନ୍ତୁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଡେପୁଟି ଚେୟାରମ୍ୟାନ୍ ସଞ୍ଜୟ ଦାସବର୍ମା ସବୁ ବିରୋଧୀ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି।

ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ କୋଟିଆକୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ୨୦୦୬ରେ ପାଞ୍ଚ ଜଣ ସଦସ୍ୟଙ୍କ ସ୍ୱତନ୍ତ୍ର ବେଞ୍ଚ ଦ୍ୱାରା କୋଟିଆରେ ସ୍ଥିତାବସ୍ଥା ରଖିବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏଠାକାର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଲୋଭନୀୟ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିଆସିଥିବା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି। ଆଜି ଆନ୍ଧ୍ରପ୍ରଦେଶ ବିରୋଧରେ ଓଡ଼ିଶା ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନାର ଏକ ପିଟିସନ ଦାଖଲ କରାଯାଇଥିବା ବେଳେ ସମସ୍ତ ରାଜନୈତିକ ଦଳ ଏକ ସ୍ୱରରେ ଆନ୍ଧ୍ରପ୍ରଦେଶର ଏପରି ଅନାଧିକାର ପ୍ରବେଶ ଓ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରିବା ଦରକାର ସେ ମତ ରଖିଛନ୍ତି।

 

Comments are closed.