ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀସୁଦର୍ଶନଙ୍କ ନଗର ବିଜେ ନୀତି
ଶ୍ରୀମନ୍ଦିରରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ଦ୍ୟୂତକ୍ରୀଡ଼ା ପ୍ରତିଯୋଗିତା
ପୁରୀ, ୯/୧୦: ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି। ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ପାରମ୍ପରିକ ଦ୍ୟୂତକ୍ରୀଡ଼ା ପ୍ରତିଯୋଗିତା ହେବ। ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କଠାରୁ ପରାସ୍ତ ହୋଇ ମହାପ୍ରଭୁ ନିଜେ ବନ୍ଧକ ରହିବେ। ଉଭୟଙ୍କ ପକ୍ଷରୁ ସେବାୟତ ଦେବନୀତିସମ୍ପନ୍ନ କରିବେ। ଏଥିସହିତ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବେ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ କୁମାରପୂର୍ଣ୍ଣମୀ ନୀତି ହେବ। ମା’ ଲକ୍ଷ୍ମୀ, ସରସ୍ୱତୀ ଖଟଶେଯକୁ ବିଜେ ହେବେ। ରତ୍ନ ସିଂହାସନରୁ ଶ୍ରୀସୁଦର୍ଶନ ଦେବ ଜଗମୋହନକୁ ବିଜେ କରିବେ। ସେଠାରେ ଠାକୁରେ ପାଟପତନି ଓ ଚୂଳଲାଗି ହେବେ। ଘଣ୍ଟଘଣ୍ଟା ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବେ। ପୁରାଣ ପ୍ରସିଦ୍ଧ ଋଷି ଆଶ୍ରମରେ ଠାକୁରେ ବିଜେ ହୋଇ ଦେବନୀତି ସମ୍ପନ୍ନ ହେବ। ଠାକୁରେ ଶ୍ରୀମନ୍ଦିରକୁ ଫେରିଲେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ହେବ। ଦକ୍ଷିଣ ଘରୁ ଶ୍ରୀମଦନମୋହନ ବିଜେ ହେବେ। ମା’ଲକ୍ଷ୍ମୀ ଓ ମଦନମୋହନଙ୍କୁ ଆଜ୍ଞାମାଳ ଅର୍ପଣ କରାଯିବ। ପାଲିଙ୍କିରେ ବିଜେ ହୋଇ ଦେବଦେବୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ।
ସେଠାରେ ଦେବ ଦମ୍ପତି ପାରମ୍ପରିକ ଖେଳ ଖେଳିବେ। ଉଭୟଙ୍କ ପକ୍ଷରୁ ସେବକମାନେ କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ। କଉଡ଼ିରେ ପଶା ଓ ଶକଟା ଆଦି ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ହେବ। ଠାକୁରଙ୍କୁ ଫଳମୂଳ ଆଦି ଶୀତଳ ଭୋଗ ଅର୍ପଣ କରାଯିବ। ପରେ ଠାକୁରଙ୍କ ଚନ୍ଦନ ଲାଗି ସର୍ବାଙ୍ଗ ବଢି ନୂଆଲୁଗା ଲାଗି ହୋଇ ବେଶ ହେବ। ବଡ଼ସିଂହାର ଧୂପ ବଢ଼ିବ। ପନ୍ତିଭୋଗ ହେବ। ପୁନର୍ବାର ଦିଅଁମାନଙ୍କ ତରଫରୁ ସେବକମାନେ ପାରମ୍ପରିକ ଦ୍ୟୂତ କ୍ରୀଡ଼ା ଖେଳିବେ। ଶ୍ରୀଜଗନ୍ନାଥ ମହାପ୍ରଭୁ ପାରମ୍ପରିକ କ୍ରୀଡ଼ା ଶକଟା, ପଶା ଓ କଉଡ଼ି ଖେଳରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କଠାରୁ ହାରିବେ। ସର୍ତ୍ତ ମୁତାବକ ମହାପ୍ରଭୁ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିବେ।