ମାସ୍କ ପିନ୍ଧିବା ସହ ସଚେତନ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୧୩।୭: ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ସହ ସଚେତନ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆଜି କୋଭିଡ୍ ସଂକ୍ରମଣ ମାମଲା ୭୦୦ ଅତିକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଲୋକଙ୍କୁ କରୋନା ମହାମାରୀ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ୍ ମହାମାରୀର ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ। ଏହାର ସଂକ୍ରମଣରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ରଥଯାତ୍ରା ଶେଷ ହୋଇଛି । ଓଡ଼ିଶାରେ କୋଭିଡ୍ ସଂକ୍ରମଣ ମାମଲା ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ତେବେ ଅତୀତରେ ଯେଭଳି ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁଥିଲା , ଏଥର ସେଭଳି ହେବ ନାହିଁ । ତେବେ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ଓ ତା’ପରେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ଜୁଲାଇ ମାସ ଆରମ୍ଭରୁ ହିଁ ରାଜ୍ୟରେ ନିୟମିତ ଭାବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି ଓ ଆଜି ୭୦୦ ଅତିକ୍ରମ କରିଛି

Leave A Reply

Your email address will not be published.