ଭୁବନେଶ୍ବର, ୨୩।୯: ତାମିଲନାଡ଼ୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର। ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଏହି ପଦବି ଖାଲି ପଡ଼ିଥିଲା।
ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାମକୁ ସର୍ଟଲିଷ୍ଟ କରିଥିଲେ। ତାମିଲନାଡ଼ୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ୍.ଅକ୍ଷୟଙ୍କ ନାମକୁ ସର୍ଟଲିଷ୍ଟ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଥିଲା। ପୂର୍ବରୁ ସେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ ଦୌଡ଼ରେ ରହିଥିଲେ। ତାମିଲନାଡୁ କ୍ୟାଡରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ୨୦୨୧ ଜୁନ୍ ୩୦ ତାରିଖରେ ପୁଲିସ ଡିଜି ପଦବିରୁ ଅବସର ନେଇଥିଲେ। ସେ ଚେନ୍ନାଇ ପୁଲିସ କମିସନର ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୨୦୦୮ ମସିହାରେ ସେ ପ୍ରଥମ ପୁଲିସ୍ ଭାବେ ପବ୍ଲିକ ଆଡ୍ମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ ରେ ସମ୍ମାନିତ ହୋଇଥିଲେ। ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲ୍ଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟ ୧୫ରୁ ମୁଖ୍ୟ ସୂଚନା କମିସନର ସୁନୀଲ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବାଳକୃଷ୍ଣ ମହାପାତ୍ର ଏବେ ଅସ୍ଥାୟୀ ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନ ଦାୟିତ୍ୱ ତୁଲାଉଛନ୍ତି। ଏବେ ରାଜ୍ୟ ସୂଚନା କମିଶନରେ ବାଳକୃଷ୍ଣ ମହାପାତ୍ରଙ୍କ ସମେତ ବିକ୍ରମ କୁମାର ସେନାପତି, ଦିଲ୍ଳୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
Comments are closed.