କୃଷି ଭବନରେ ମୁକ୍ତାକାଶ ପାଠାଗାର ଉଦ୍‌ଘାଟିତ

0

ଭୁବନେଶ୍ୱର,୫।୧: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌ଙ୍କ କରକମଳରେ କୃଷି ଭବନ ଛାତ ଉପରେ ଏକ ମୁକ୍ତାକାଶ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରୁଫ୍‌ଟପ୍‌ ପାଠାଗାରକୁ ବାଲକ୍ରିଷ୍ଣନ୍‌ ପ୍ରଶଂସା କରିବା ସହିତ ଆଜିର ଦୁନିଆରେ ପଠନର ଉପାଦେୟତା ଓ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥି ସହିତ ବାଲକ୍ରିଷ୍ଣନ୍‌ ଭର୍ଚୁଆଲ୍‌ ଲାଇବ୍ରେରୀ ଓ ଓଡ଼ିଶା ଭର୍ଚୁଆଲ ଏକାଡେମୀର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ମୁଖ୍ୟ ପରାମର୍ଶଦାତା କୃଷି ଭବନ ପରିସରରେ ଓଡ଼ିଶା ମିଲେଟ୍‌ ମିଶନର ସ୍ୱତନ୍ତ୍ର ସେଲ୍‌ ଓ ମିଲେଟ୍‌ ଶକ୍ତି କାଫେ ପରିଦର୍ଶନ କରି ଆମର ନିତିଦିନିଆ ଖାଦ୍ୟ ତାଲିକାରେ ସୁସ୍ୱାଦୁ ପୁଷ୍ଟିଶସ୍ୟ ମିଲେଟ୍‌ ଜାତୀୟ ଖାଦ୍ୟକୁ ସାମିଲର ଗୁରୁତ୍ୱ ସଂପର୍କରେ କହିଥିଲେ । ଓଡ଼ିଶା ମିଲେଟ ମିଶନ ଅଧିନରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମିଲେଟ ଉତ୍ପାଦନ, ବ୍ୟବହାର ଓ ପ୍ରଚାରପ୍ରସାର ଦିଗରେ ସହାୟକ ହୋଇପାରିବ ବୋଲି ବାଲକ୍ରିଷ୍ଣନ୍‌ ମତବ୍ୟକ୍ତ କରିଥିଲେ । ପରିଦର୍ଶନ ସମୟରେ ବାଲକ୍ରିଷ୍ଣନ୍‌ କୃଷି ଭବନ ଉଦ୍ୟାନ ପରିସରରେ ବୃକ୍ଷରୋପଣ କରିଥିଲେ ।

ଉଦ୍‌ଘାଟନ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏବଂ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.