ଭୁବନେଶ୍ବର ପହଞ୍ଚିଲା ୧ ଲକ୍ଷ କୋଭିଶିଲ୍ଡ ଟିକା

0

ଭୁବନେଶ୍ୱର, ୮।୫: ରାଜ୍ୟରେ ପହଞ୍ଚିଲା କୋଭିଶିଲ୍ଡ ଟିକା। ମହାରାଷ୍ଟ୍ରର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆଜି ଲକ୍ଷ କୋଭିଶିଲ୍ଡ ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ଠାରୁ ଏହି ଟିକା କିଣିଛନ୍ତି।

ଅନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିଲେ। ଏନେଇ ଆବଶ୍ୟକୀୟ ପରିମାଣରେ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଥିଲେ ରାଜ୍ୟ ସରକାର। ମୋଟ ୩ କୋଟି ଟିକା ଯୋଗାଇ ଦେବାକୁ ସେରମକୁ କହିଥିଲେ ରାଜ୍ୟ ସରକାର। ସେଥିରୁ ଆଜି ୧ ଲକ୍ଷ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଏହି ଟିକାକରଣ ହେବ ବୋଲି ସୂଚନା ମିଳିଛି।

ଅନ୍ୟପଟେ କେନ୍ଦ୍ର ସରକାର ଦେଇଥିବା ଟିକା ଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ବୋଲି ଗତକାଲି ଟ୍ୱିଟ୍ କରି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଭାଏଲ୍‌ରେ ଟିକା ୱଷ୍ଟେଜ୍‌ କୋଟାରେ ଆସିଥିବା ଟିକା ବି ସୁରକ୍ଷିତ ଭାବେ ରଖି ଲୋକଙ୍କୁ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ଓ ନର୍ସମାନଙ୍କୁ ଏହାର ଶ୍ରେୟ ଦେଇ ସେମାନଙ୍କୁ ପ୍ରଂଶସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଥିଲେ ଯେ କେନ୍ଦ୍ର ସରକାର ୪୫ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ରାଜ୍ୟକୁ ୬୧ଲକ୍ଷ ୪୪ହଜାର ୧୪୦ ଡୋଜ୍‌ ଟିକା ଦେଇଛନ୍ତି । କିନ୍ତୁ କୌଣସି ଗୋଟିଏ ବି ଟିକା ନଷ୍ଟ ନ କରି ଭାଏଲ୍‌ରେ ଆସୁଥିବା ଡୋଜ୍‌ ତୁଳନାରେ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । କୌଣସି ଗୋଟିଏ ଡୋଜ୍‌ ଟିକା ନଷ୍ଟ ଯାଇନି । କୋଭିଡ୍‌ ଟିକାକରଣରେ ଜିରୋ ୱଷ୍ଟେଜ୍‌ ମାଇଲଖୁଣ୍ଟ ତିଆରି କରିଛି ରାଜ୍ୟ । ଟିକା ଦେଉଥିବା ସ୍ୱାସ୍ଥ୍ୟକର୍ମୀ ଓ ନର୍ସମାନଙ୍କ ନିଷ୍ଠାପର କର୍ତ୍ତବ୍ୟ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.