ଭୁବନେଶ୍ବର ୧୮।୧୦ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ୨୩ ଘଣ୍ଟିଆ ମାରାଥନ୍ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି ଚଢ଼ାଉ ସମୟରେ ଆଜି ଭିଜିଲାନ୍ସକୁ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ମିଳିଛି। ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ଘରୁ ମିଳିଥିବା ଡକ୍ୟୁମେଣ୍ଟଗୁଡିକୁ ଭିଜିଲାନ୍ସର ଅର୍ଥନୈତିକ ଶାଖା, ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଏବଂ ବ୍ୟାଙ୍କିଙ୍ଗ କନ୍ସଲ୍ଟାଣ୍ଟଙ୍କ ଦ୍ବାରା ପରୀକ୍ଷା କରାଯିବ। ଚଢ଼ାଉ ବେଳେ ମିଳିଥିବା ସମସ୍ତ ଇଲେକ୍ଟ୍ରୋନିକ ପ୍ରମାଣ ବା ଡକ୍ୟୁମେଣ୍ଟଗୁଡିକୁ ଯାଞ୍ଚ କରିବ ଭିଜିଲାନ୍ସର ସାଇବର ସେଲ। ସମସ୍ତ ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତମାନଙ୍କର ପରୀକ୍ଷା ସଠିକ ସମୟରେ କରାଯିବ ବୋଲି ଭିଜିଲାନ୍ସ ଏଡିଜି ୟଶୱନ୍ତ ଜେଠୱା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀ, ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବ୍ରହ୍ମପୁର ସହର ଷ୍ଟାଡିୟମ ନିକଟ ବାସଭବନ ସମେତ ସହର ଉପକଣ୍ଠ ବଡ଼କୁଶସ୍ଥଳୀ, ନରେନ୍ଦ୍ରପୁର ଆଦି ପ୍ରାୟ ୧୫ଟି ଜାଗାରେ ରବିବାର ସକାଳୁ ଖାନତଲାସ କରିଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ କିଛି ସମର୍ଥକ, ଡ୍ରାଇଭର, ପରାମର୍ଶଦାତା, ଫାଇନାନ୍ସରଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଛି। ଏହି ଚଢ଼ଉ କଟକ ଭିଜିଲାନ୍ସ ଟିମ୍ କରିଥିବା ଜଣାପଡିଛି। ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ୫ କୋଟି ୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଥିଲା । ୨୦୦୯ରୁ ୨୦୨୦ ମସିହା ମଧ୍ୟରେ ଏହି ସମ୍ପତ୍ତି ସେ ଠୁଳ କରିଥିବା ତଦନ୍ତରୁ ଜଣାପଡିଥିଲା। ପୂର୍ବରୁ ଏନେଇ ଲୋକାୟୁକ୍ତଙ୍କୁ ରିପୋର୍ଟ ଦିଆଯାଇଛି।