୧୫ରୁ ୧୮ ବର୍ଷ ପିଲା ଟିକା ନେବାକୁ କରିବାକୁ ହେବ ପଞ୍ଜୀକରଣ

0

ଭୁବନେଶ୍ବର, ୨୭।୧୨: ରାଜ୍ୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ ଛୁଆଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି। ଆମ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ଟିକା ନେବା ପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ। ସ୍କୁଲ ଓ କଲେଜରେ କ୍ୟାମ୍ପ କରାଯାଇ ଟିକା ଦିଆଯିବ। ସେଠାରେ ଶିକ୍ଷକ ଉପସ୍ଥିତ ରହିବେ। ଯଦି ବାହାରେ କ୍ୟାମ୍ପ କରାଯାଏ, ତା’ହେଲେ ଅଭିଭାବକଙ୍କୁ ଆସିବାକୁ ପଡ଼ିବ। ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଦୁଇଟି ଟିକାକୁ ଅନୁମତି ଦିଆଯାଇଛି। ତେବେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। କେନ୍ଦ୍ର ସରକାରଙ୍କ ପକ୍ଷରୁ  ମାର୍ଗଦର୍ଶୀକା ଆସିବା ପରେ ତାହା ସ୍ପଷ୍ଟ ହେବ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଜାନୁଆରୀ ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ଆମ ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର। ଯେଉଁମାନେ ମଧୁମେହ, ବ୍ଲଡ ପ୍ରେସର, କ୍ୟାନସର ଓ କିଡିନୀ ରୋଗରେ ଆକ୍ରାନ୍ତ ଅଛନ୍ତି ବା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ଡାକ୍ତରଙ୍କ ପାଖରୁ ସାର୍ଟିଫିକେଟ୍‌ ଆଣିଲେ ସେମାନଙ୍କୁ ପ୍ରତିଷେଧମୂଳକ ଟିକା ଦିଆଯିବ। ଦ୍ୱିତୀୟ ଡୋଜ ଟିକାର ନେବାର ୩ରୁ ୬ମାସ ମଧ୍ୟରେ ସେମାନେ ପ୍ରତିଷେଧମୂଳକ ଡୋଜ୍‌ ନେଇପାରିବେ। ସେହିପରି ଆମ ରାଜ୍ୟରେ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି। ସେମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ସେମାନଙ୍କୁ  ପ୍ରତିଷେଧମୂଳକ ଡୋଜ ଜାନୁଆରୀ ୧୦ ତାରିଖରୁ ଦିଆଯିବ।

ବର୍ତ୍ତମାନ ୨୬୦୦ ସାଇଟରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟିକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି। ଦ୍ୱିତୀୟ ଡୋଜ ନେବାକୁ ୩୦ଲକ୍ଷ ଲୋକ ବାକି ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର  ବିଜୟ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ।  ପ୍ରାପ୍ତ ବୟସ୍କଙ୍କ ଭଳି ଛୋଟ ପିଲାମାନେ କୋୱିନ ପ୍ଲାଟଫର୍ମରେ ହିଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।

Leave A Reply

Your email address will not be published.