ଓଡ଼ିଶାର ଦୁଇ ସହିଦ ଯବାନଙ୍କୁ ‘ସୌର୍ୟ ଚକ୍ର ସମ୍ମାନ’

0

ଭୁବନେଶ୍ୱର,୧୫।୮: ଓଡ଼ିଶା ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି)ର ୨ଜଣ ସହିଦ ଯବାନଙ୍କୁ ମିଳିଛି ମରଣୋତ୍ତର ‘ସୌରୢ ଚକ୍ର ସମ୍ମାନ’। ଏହି ୨ ଯବାନ ହେଉଛନ୍ତି ଅନୁଗୁଳ ଜିଲ୍ଲା ଅଙ୍ଗପଡ଼ା ଗାଁର ସହିଦ ଦେବାଶିଷ ସେଠୀ ଓ ମୟୂରଭଞ୍ଜ ଜିଲ୍ଳା ସାନଭଦୁଆ ଗାଁର ସହିଦ ସୁଧୀର ଟୁଡୁ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ୨ ବୀରଙ୍କ ନାମ ଘୋଷଣା କରାଯାଇଛି । ଏହି ୨ ଯବାନ ୨୦୨୦ ସେପ୍ଟେମ୍ବରରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୁଲିସ୍‌-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଥିଲେ । ହେଲେ ୫ ମାଓବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲେ ।

ସହିଦ ଦେବାଶିଷ ଓଡ଼ିଶା ପୁଲିସ୍‌ର ସପ୍ତମ ବାଟାଲିୟନରେ କନଷ୍ଟେବଳ ଭାବେ ୨୦୧୩ ମସିହା ଅକ୍ଟୋବରରେ ଯୋଗ ଦେଇଥିଲେ ତାଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ଏସ୍‌ଓଜିରେ ଭର୍ତ୍ତି କରା ଯାଇଥିଲା ସେ ମାଓବାଦୀ ବିରୋଧୀ ଅପରେସନ୍‌ କ୍ଷେତ୍ରରେ ଉତ୍ସାହର ସହିତ କାର୍ଯ୍ୟ କରୁଥିଲେ । ୨୦୨୦ ସେପ୍ଟେମ୍ବର ୯ ତାରିଖରେ କଲାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ସିର୍କି ଗାଁ ନିକଟ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ସେ ସହିଦ୍‌ ହୋଇଥିଲେ । ତାଙ୍କ ଦେହରେ ୩ଟି ଗୁଳି ଲାଗିଥିଲା । ତାଙ୍କର ସାହସ ପାଇଁ ମାଓବାଦୀଙ୍କୁ ପଛକୁ ଫେରିବାକୁ ପଡିଥିଲା । କିଛି ମାଓବାଦୀଙ୍କୁ ସେ ନିପାତ କରିଥିଲେ । ଏହି ଲଢ଼େଇରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବୀରତ୍ୱ ପାଇଁ ପୁଲିସ୍‌ ଦଳର ଅନ୍ୟ କମାଣ୍ଡରଙ୍କ ଜୀବନ ରକ୍ଷା ପାଇଥିଲା । ସହିଦ ଦେବଶିଷଙ୍କ ସାହସିକତା ଏବଂ ସାହସିକ କାର୍ଯ୍ୟକୁ ସ୍ୱୀକୃତି ଦେଇ ସରକାର ତାଙ୍କ ସର୍ବୋଚ୍ଚ ବଳିଦାନ ସମ୍ମାନରେ ତାଙ୍କୁ ଶୌର୍ଯ୍ୟ ଚକ୍ରପୁରସ୍କାର ପ୍ରଦାନ କରିଛନ୍ତି । ଡ୍ୟୁଟିରେ ତାଙ୍କର ନିଷ୍ଠା ପାଇଁ ତାଙ୍କୁ ଡିଜିପି ଡିସ୍କ (୨୦୧୮-୧୯) ଏବଂ ଡିଜିପି ଡିସ୍କ (୨୦୨୦-୨୧) ରେ ପୁରସ୍କୃତ କରା ଯାଇଥିଲା ।ଦେବାଶିଷ ଥିଲେ ଘରର ବଡ଼ପୁଅ । ୨ ସାନ ଭାଇ ଓ ଜଣେ ସାନ ଭଉଣୀକୁ ନେଇ ତାଙ୍କ ପରିବାର । ନୂଆଖାଇଁ ପାଇଁ ଛୁଟିରେ ଘରକୁ ଆସିବେ ବୋଲି କହିଥିଲେ । ହେଲେ ଏହା ପୂର୍ବରୁ ମା, ମାଟି ପାଇଁ ସହିଦ ହୋଇଥିଲେ ଦେବାଶିଷ

ସେହିଭଳି ସହିଦ ସୁଧୀର ୨୦୧୩ ସେପ୍ଟେମ୍ବରରେ କୋରାପୁଟରେ ପ୍ରଥମ ଆଇ.ଆର. ବାଟାଲିୟନରେ ଯୋଗ ଦେଇଥିଲେ । ୨୦୧୮ ଜୁନ୍‌ରେ ଏସ୍‌ଓଜିରେ ଭର୍ତ୍ତି ହୋଇଥିଲେ । ସେ ମଧ୍ୟ ମାଓବାଦୀ ବିରୋଧୀ ଅପରେସନ୍‌ କ୍ଷେତ୍ରରେ ବହୁତ ଉତ୍ସାହର ସହିତ କାର୍ଯ୍ୟ କରୁଥିଲେ । ସେହି ଦିନ ମାଓବାନୀଙ୍କ ସହ ଗୁଳି ବିନିମୟ ବେଳେ ସହିଦ ହୋଇଥିଲେ । ହେଲେ ଏକାଧିକ ମାଓବାଦୀଙ୍କୁ ନିପାତ କରିଥିଲେ । ତାଙ୍କୁ ମଧ୍ୟା ଡିଜିପି ଡିସ୍କ (୨୦୨୦-୨୧) ସହିତ ପୁରସ୍କୃତ କରା ଯାଇଥିଲା । ସହିଦ ସୁଧୀର ମାଓବାଦୀ ଶିବିର ଭିତରକୁ ଯାଇ ସେମାନଙ୍କ ସହ ଲଢ଼ିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ସେ ଏମିତି ନିଷ୍ପତ୍ତି ନେଇଥିଲେ । ଏହି ସଂଘର୍ଷରେ ୫ ଜଣ ମାଓବାଦୀ ମଧ୍ୟ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ମାଓବାଦୀ ଥିଲେ । ଅନେକ ଆହତ ହୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ବାରିପଦା ସାନଭଦୁଆ ଗାଁରେ ସୁଧିର ଟୁଡୁଙ୍କ ଜନ୍ମ । ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁଙ୍କର ସେ ଥିଲେ ବଡ଼ପୁଅ । ଦୁର୍ଗାପୂଜାରେ ଘରକୁ ଆସିବେ ବୋଲି କହିଥିଲେ ସୁଧିର । ହେଲେ ଆସି ପାରିନଥିଲେ ।

ସେହିଭଳି ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ଉଲ୍ଲେଖନୀୟ, ପ୍ରଶଂସନୀୟ ସେବା ଓ ବୀରତ୍ୱ ସେବା ପାଇଁ ଓଡ଼ିଶାର ୮୦ ଜଣ ପୁଲିସ୍‌ଙ୍କୁ ରାଷ୍ଟ୍ରପତି ପଦକ ପାଇବା ଲାଗି ନାମ ଘୋଷଣା କରାଯାଇଛି । ସେଥିମଧ୍ୟରୁ କେବଳ ୬୭ ଜଣ ସାହସିକତା ପାଇଁ ପଦକ ପାଇବେ । ଉଲ୍ଲେଖନୀୟ ସେବା ପାଇଁ ମଧ୍ୟ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିବ । ଏସଆଇଡବ୍ଲ୍ୟୁର ଡିଏସ୍‌ପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ପ୍ରଦାନ କରାଯିବ । ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ମେଡାଲ ଘୋଷଣା କାରଯାଇଛି । ୨୦୨୨ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଏହି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ସାରା ଦେଶରେ ମୋଟ ୧୩୮୦ ପୁଲିସ କର୍ମଚାରୀ ସାହସିକତା ପୁଲିସ ମେଡାଲରେ ସମ୍ମାନିତ ହେବେ । ତେବେ ଓଡ଼ିଶାରୁ ଏଥର ସର୍ବାଧିକ ଅର୍ଥାତ ୬୭ ଜଣଙ୍କୁ ସାହାସିକାତା ପାଇଁ ପୁଲିସ ମେଡାଲ ଦିଆ ଯାଉଉଛି । ଏହା ଓଡ଼ିଶା ପୁଲିସ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ । ଓଡ଼ିଶା ପୁଲିସର ସାହସିକତାକୁ ମାନ୍ୟତା ଦେଇଥିବାରୁ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେହିଭଳି ଜେଲ୍‌ ବିଭାଗରେ ୩ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ ବୋଲି ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ପୁଲସକୁ ଏତେ ସଂଖ୍ୟକ ପଦକ ମିଳିବାର କାରଣ ହେଲା, ୨୦୨୦ ସ୍ୱାଧୀନତା ଦିବସ ଓ ୨୦୨୧ ଗଣତନ୍ତ୍ର ଦିବସରେ ସାହାସିକତା ପାଇଁ କାହାକୁ ପଦକ ମିଳିନଥିଲା । କିଛି ବରିଷ୍ଠ ଅଧିକାରୀଙ୍କ ମନମାନି ପାଇଁ ପଦକ ପାଇଁ ଯୋଗ୍ୟ ଥିବା ବ୍ୟକ୍ତିଙ୍କ ଫାଇଲ୍‌ ଯାଇ ପାରିନଥିଲା । ପଡ଼ି ରହିଥିବା ଫାଇଲ୍‌ ଚଳିତ ବର୍ଷ ଯିବା ପରେ ଏହି ପଦକ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିଛି ।

 

Leave A Reply

Your email address will not be published.