ରାଜ୍ୟ ବଜେଟ୍‌ରେ ପୁରୀ ପାଇଁ ୨୨୪ କୋଟି ଟଙ୍କା, ଅନ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ୧୫୦ କୋଟିର ବ୍ୟୟବରାଦ

ଭୁବନେଶ୍ବର, ୨୪।୨: ଆର୍ଥିକ ବର୍ଷ ୨୦୨୩-୨୪ରେ ଐତିହ୍ୟ ନଗରୀ ପୁରୀର ବିକାଶ ପାଇଁ ‘ଅବଢ଼ା’ ଯୋଜନାରେ ୨୨୪ କୋଟି ଟଙ୍କା ବଜେଟ୍‌ ପ୍ରସ୍ତାବ ରହିଛି। ସେହିପରି ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନସ୍ଥଳୀର ସମନ୍ବିତ ବିକାଶ ଅଧୀନରେ ୧୫୦ କୋଟି ଟଙ୍କା ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର କହିଛନ୍ତି।

ବଜେଟ୍‌ ଉପସ୍ଥାପନ କରିବା ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳଗୁଡ଼ିକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର, ଗଂଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିର ସାମିଲ ରହିଛି। ଏତଦ୍‌ ବ୍ୟତୀତ ଅନ୍ୟ ପ୍ରମୁଖ ଐତିହ୍ୟସ୍ଥଳୀର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ୬୬୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏଥିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା, ପର୍ଯ୍ୟଟନ ପ୍ରୋତ୍ସାହନ ପାଇଁ ୧୫୭ କୋଟି ଟଙ୍କା ଏବଂ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୩୦ କୋଟି ଟଙ୍କା ସାମିଲ ରହିଛି।

Comments are closed.