ଅଗ୍ନିପଥ ଯୋଜନା ପ୍ରସଙ୍ଗ: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ, ୨୦।୬: ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଥମୁନାହିଁ। ମୁଖ୍ୟତଃ ଏହି ଯୋଜନାରେ ୪ ବର୍ଷିଆ ଚାକିରି କାଳକୁ ବିରୋଧ କରି ଆରମ୍ଭରୁ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ପରିସ୍ଥିତି ଜଟିଳ ହୋଇଥିବା ବେଳେ ଆସନ୍ତାକାଲି ତିନି ସେନା ମୁଖ୍ୟ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ତିନି ସେନା ପ୍ରମୁଖ ଅଗ୍ନିପଥ ଯୋଜନାରେ ନିଯୁକ୍ତି ସମ୍ୱନ୍ଧୀୟ ବିସ୍ତୃତ ସୂଚନା ଦେବେ। ମିଳିଥିବା ସୂଚନା ଅନୁସାରେ ତିନି ସେନାର ମୁଖ୍ୟମାନେ ଅଲଗା ଅଲଗା ଭାବେ ମୋଦୀଙ୍କୁ ଭେଟିବେ। ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ପ୍ରଥମେ ମୋଦୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ଅଗ୍ନିପଥ ଯୋଜନାର ଘୋଷଣା ଜୁନ୍‌ ୧୪ରେ କରାଯାଇଥିଲା। ଏହା ପରଠାରୁ ସାରା ଦେଶରେ ବିରୋଧ ଜାରି ରହିଛି। ଆଜି ବେଙ୍ଗାଲୁରୁଠାରେ ଏକ ସଭାରେ ଉଦ୍‌ବୋଧନ ଦେଇ ମୋଦି଼ ଅଗ୍ନିପଥ ସ୍କିମକୁ ସମର୍ଥନ କରି।  ସେ କହିଥିଲେ ଯେ, କେତେକ ସଂସ୍କାର ସାମୟିକ ଭାବେ ଅସୁବିଧା ସୃଷ୍ଟି କରିଥାଏ, କିନ୍ତୁ ଦୀର୍ଘକାଳ ପାଇଁ ଏହା ଉପକାର କରିଥାଏ । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ସ୍କିମ’କୁ ନେଇ ତୁମ୍ଭିତୋଫାନ ଜାରି ରହିଥିବା ବେଳେ ଏ ସମ୍ପର୍କରେ ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର  ପ୍ରତିକ୍ରିୟା ରଖିଛନ୍ତି। ଏହି ଯୋଜନାକୁ ସେ  ପ୍ରଶଂସା କରିବା ସହ ଉଭୟ ଯୁବପିଢ଼ି ଏବଂ ସେନା ପାଇଁ କେବଳ ‘ବିଜୟ ହିଁ ବିଜୟ’ ବୋଲି କହିଛନ୍ତି। ସେନାରେ ଆଶାୟୀ ଯୁବକମାନଙ୍କୁ ଏହି ଯୋଜନା ବାବଦରେ ଭୁଲ ତଥ୍ୟକୁ ଆଧାର କରି  ଅପପ୍ରଚାର କିମ୍ବା ଭ୍ରମିତ ନ କରିବାରକୁ ସେ ନିବେଦନ କରିଛନ୍ତି। ଜାତୀୟ ଗଣମାଧ୍ୟମର ଏକ ଚାନେଲକୁ ସାକ୍ଷାତକାର ଦେଇ ପାଣ୍ଡେ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ପ୍ରତ୍ୟାହୃତ ହେବ ନାହିଁ।

Comments are closed.