ପୁଣି କମିଲା ପେଟ୍ରୋଲ, ଡିଜେଲ ଦର

୩ ଟଙ୍କା ଭାଟ୍ ହ୍ରାସ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର, ୪।୧୧: ପୁଣି କମିଲା ପେଟ୍ରୋଲ ଡିଜେଲ୍‌ ଦର। ୩ ଟଙ୍କା ଭାଟ୍‌ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ମଧ୍ୟରାତ୍ରୀରୁ ଏହି ଦର ଲାଗୁ ହେବ। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଲିଟର ପିଛା ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ଟଙ୍କା ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏହାକୁ ଗୁରୁବାର ମଧ୍ୟରାତ୍ରଠାରୁ ଲାଗୁ କରାଯାଇଛି। କେନ୍ଦ୍ର ଟିକସ ସହ ରାଜ୍ୟ ଭାଟ୍‌ ମଧ୍ୟ ଖସିବ। ରାଜ୍ୟ ସରକାର ଲିଟର ପିଛା ପେଟ୍ରୋଲ ଉପରେ ୩ ଟଙ୍କା ଭାଟ ହ୍ରାସ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ଶୁଳ୍କ ହ୍ରାସ ପରେ ଓଡ଼ିଶାରେ ପେଟ୍ରୋଲ ୬ ଟଙ୍କା ୬୦ ପଇସା ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା କମିବା ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ଗତକାଲି ୧୧୧.୦୩ ଟଙ୍କା ଏବଂ ଡିଜେଲ ୧୦୭.୩୮ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ବେଳେ ଗୁରୁବାର ଉଭୟ ଇନ୍ଧନ ଦର ଯଥାକ୍ରମେ ୬ ଟଙ୍କା ୬୦ ପଇସା ଏବଂ ୧୨ ଟଙ୍କା ୮୦ ପଇସା ଶସ୍ତା ହୋଇପାରେ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚି ଯାଇଥିବା ବେଳେ ଏହାର ଯନ୍ତ୍ରଣା ଅନୁଭବ କରୁଛି ଖାଉଟି। ଘରୋଇ ବଜାରରେ ଦର ଆକାଶ ଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଏହା ବେଶ୍‌ ଭାବେ ବାଧୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀପାବଳିର ଦିନକ ପୂର୍ବରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ର ସରକାର। ଗତ ୩୬ ଦିନରେ ପେଟ୍ରୋଲ ୨୮ ଥର ବଢ଼ିଛି। ଏହି ସମୟ ମଧ୍ୟରେ ଦର ୮.୮୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଯୋଗୁ ପ୍ରାୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଉଭୟ ଇନ୍ଧନ ଦର ହ୍ରାସ ଘଟିବା ପରେ ଅର୍ଥନୀତିରେ ଅଭିବୃଦ୍ଧି ଦେଖାଯିବ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବ ବୋଲି ସରକାର ବିବୃତିରେ ପ୍ରକାଶ କରିଛନ୍ତି ।

 

Comments are closed.