ଏଣିକି ପାଇଲଟ୍‌ଙ୍କୁ ୪୮ ଘଣ୍ଟା ଆରାମ ମିଳିବ, ବିମାନ କ୍ରୁ ସଦସ୍ୟଙ୍କ ଲାଗି ଡ୍ୟୁଟି ନିୟମର ସଂଶୋଧନ କଲା ଡିଜିସିଏ

0

ନୂଆଦିଲ୍ଲୀ, ୮/୧: ବିମାନ ଉଡ଼ାଣକୁ ଆହୁରି ସୁରକ୍ଷିତ କରିବା ଲାଗି ପାଇଲଟ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କ କାର୍ଯ୍ୟ କରିବାର ସମୟରେ ବହୁତ ପରିବର୍ତ୍ତନ କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) । ଏବେ ବିମାନର କ୍ରୁ ସଦସ୍ୟଙ୍କ ଆରମ କରିବାର ସମୟକୁ ୩୬ ଘଣ୍ଟାରୁ ବଢ଼ାଇ ୪୮ ଘଣ୍ଟ କରିଦିଆଯାଇଛି । କେବଳ ସେତିକି ନୁହେଁ ରାତି ଡ୍ୟୁଟି ସମୟରେ କର୍ମଚାରୀଙ୍କ ଥକାପଣ ସଂପର୍କରେ ସୂଚନା ରଖିବ ଏୟାରଲାଇନ୍ସ । ତେବେ ପାଇଲଟଙ୍କ କାର୍ଯ୍ୟ ଚାପ ଏବଂ ଥକାପଣ ସଂପର୍କରେ ମନ୍ତ୍ରଣାଳୟକୁ ବାରମ୍ବାର ଅଭିଯୋଗ ମିଳିଥିଲା ।

ପାଇଲଟଙ୍କ ମଧ୍ୟରେ ଥକାପଣକୁ ନେଇ ଚିନ୍ତା ବୃଦ୍ଧି ପାଇବାକୁ ନେଇ ଡିଜିସିଏ ନଭେମ୍ବର ୨୦୨୩ରେ କ୍ରୁ-ସଦସ୍ୟଙ୍କ କାର୍ଯ୍ୟ କରିବାର ଅବଧି ପରିବର୍ତ୍ତନ ନେଇ ପ୍ରସ୍ତାବ ଦେଇଥିଲା । ଏଣିକି ଉଡ଼ାଣ ଡ୍ୟୁଟିକୁ ୧୩ ଘଣ୍ଟାରୁ କମାଇ ୧୦ ଘଣ୍ଟା କରିଦିଆଯାଇଛି । ବିଶେଷ କରି ରାତିରେ ବିମାନ ଉଡ଼ାଉଥିବା ପାଇଲଟ କେବଳ ୧୦ ଘଣ୍ଟା କାର୍ଯ୍ୟ କରିବେ । ଏହା ସହ ରାତିରେ ଉଡ଼ାଣ କରୁଥିବା ବିମାନଗୁଡ଼ିକ ଅତିବେଶୀରେ ୨ ଥର ଲ୍ୟାଣ୍ଡ କରିବ ।

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ଏହି ସଂଶୋଧିତ ନିୟମ ଆମେରିକା ଏବଂ ୟୁରୋପୀୟ ସଂଘର ନିୟମ ସହ ମେଳ ଖାଉଥିବା ଜଣାପଡ଼ିଛି । ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ବିମାନ ଚଳାଚଳ ପ୍ରଣାଳୀ ଭଳି ଭାରତରେ ମଧ୍ୟ ନିୟମ ଲାଗୁ କରାଯାଇଛି । ଭାରତକୁ ବଡ଼ ବେସାମରିକ ବିମାନ ଚଳାଚଳ ବଜାର ରୂପେ ଟାଇଟଲ ଜିଣିବା ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।  ଏହା ସହ କେନ୍ଦ୍ରମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ବହୁ ପର୍ଯ୍ୟାୟର ଆଲୋଚନା, ଥକାପଣ ଜନିତି ରିପୋର୍ଟ ଏବଂ ପାଇଲଟଙ୍କ ସହ ସିଧାସଳଖ କଥା ହେବା ପରେ ସଂଶୋଧିତ  ‘ ବିମାନରେ କାର୍ଯ୍ୟ କରିବା ଅବିଧି ନିୟନ୍ତ୍ରଣ’ ବା ଏଫଡିଟିଏଲ୍‌  ଲାଗୁ ହୋଇଛି ।

ସେପଟେ ଡିଜିସିଏ ସମସ୍ତ ଏୟାରଲାଇନ୍ସ ଅପରେଟରକୁ ୧୧ ଜୁନ୍‌ ୨୦୨୪ ପାଖରୁ ପ୍ରତି ୩ ମାସରେ ଥକାପଣ ଜନିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ସଂଶୋଧିତ ନିୟମ ପାଳନ ଲାଗି ଏୟାରଲାଇନ୍ସଗୁଡ଼ିକୁ କୁହାଯାଇଛି । ସମଗ୍ର ବିଶ୍ବରେ ଭାରତର ବେସାମରିକ ବିମାନ ଚଳାଚଳ ବୃଦ୍ଧି ପାଇଛି । ଫଳରେ ପାଇଲଟଙ୍କ ଥକାପଣ ବଢ଼ୁଥିବା ବେଳେ ଏହା ସମସ୍ୟା ସୃଷ୍ଟି କରିଛି । ହେଲେ ଏବେ ଆସିଥିବା ସଂଶୋଧିତ ନିୟମ ଉପଯୋଗୀ ହୋଇପାରିବ ବୋଲି ପାଇଲଟମାନେ ମତ ଦେଇଛନ୍ତି ।

 

Leave A Reply

Your email address will not be published.