ମାଲକାନଗିରିର କୁନି ଧାବକ ରୁଦ୍ର, ବିନା ବିଶ୍ରାମରେ ଦୌଡ଼ିଲେ ୧୭ କିଲୋମିଟର

ମାଲକାନଗିରି, ୧୧।୧: ମାଲକାନଗିରିର ୬ ବର୍ଷର କୁନି ଧାବକ ରୁଦ୍ର। ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ିଛି ୬ ବର୍ଷର ରୁଦ୍ର। ଆଜି ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା ରୁଦ୍ର। କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଡୁଥିବା ରୁଦ୍ର ସେଠୀ ଯେତେ ଦୌଡ଼ିଲେ ମଧ୍ୟ କ୍ଲାନ୍ତ ହେଉନଥିଲା । ତେଣୁ ପ୍ରଶାସନ ରୁଦ୍ରକୁ ଏହି ମାରଥନରେ ସାମିଲ କରିଥିଲା। କିନ୍ତୁ ରୁଦ୍ର ସମସ୍ତଙ୍କୁ ପଛରେ ପକାଇ ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ି ଥିଲା। ଏହାକୁ ଦେଖି ବିସ୍ମିତ ହୋଇଯାଇଥିଲେ ସମସ୍ତେ।

୧୭ କିଲୋମିଟର ଦୌଡ଼ିବା ପରେ ମଧ୍ୟ କୌଣସି କ୍ଲାନ୍ତ ହୋଇ ନଥିଲା ବାଳକ। ପ୍ରତେକ ଦିନ ୧୦ କିଲୋମିଟର ଦୌଡ଼ ଅଭ୍ୟାସ ରଖିଛି ରୁଦ୍ର। ସେ ମାତ୍ର ୩ ବର୍ଷ ବୟସରୁ ଅଭ୍ୟାସ ଜାରି ରଖିଛି। ରୁଦ୍ର ଅଜାଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରୁଛି। ରୁଦ୍ରକୁ ଏଭଳି ପ୍ରାକ୍ଟିସ କରାଇ ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ରୁଦ୍ରର ଅଜା ଡି ରବୀନ୍ଦ୍ର। ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ।

ରବୀନ୍ଦ୍ର ଜଣେ ଫୁଟବଲ ଖେଳାଳି ମଧ୍ୟ। ରୁଦ୍ର  ପିଲାଟି ଦିନରୁ ଅଜାଙ୍କ ସହ ଖେଳକୁଦ କରିବା ସହ ଫୁଟବଲ ପଡ଼ିଆରେ ଦୌଡ଼ିବାକୁ ଅଭ୍ୟାସ କରୁଥିଲା। ଆସ୍ତେ ଆସ୍ତେ ରୁଦ୍ର ସହରରେ ଦୀର୍ଘ ସମୟ ଧରି ଦୌଡୁଥିବା ଦେଖିବାକୁ ମିଳୁଥିଲା। ଏହି ଘଟଣା ଏବେ ମାଲକାନଗିରିରେ ଚର୍ଚ୍ଚାର ବିଷୟ ହୋଇଛି।

 

Comments are closed.