ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ୭,୭୦୦ କ୍ଷେତ୍ର କର୍ମଚାରୀ ମୁତୟନ ଅଛନ୍ତି: ଟିପିସିଓଡିଏଲ

ଭୁବନେଶ୍ୱର, ୧୨/୬: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁସାରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିକଟରେ ଘଟିଥିବା କାଳବୈଶାଖୀରେ ପ୍ରଭାବିତ ହୋଇଥିବା ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟକୁ କଂପାନି ପ୍ରାୟ ସମ୍ପୂର୍ଣ୍ଣ କରିଛି । ସମସ୍ତ ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କର୍ମଚାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବୋଲି ଟିପିସିଓଡିଏଲ କହିଛି। କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ଓ ମଣ୍ଡଳ-ସ୍ତରୀୟ ନିରୀକ୍ଷଣ ଟିମ ଦ୍ୱାରା ପୁନରୁଦ୍ଧାର ଉଦ୍ୟମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଟିପିସିଓଡିଏଲ୍ ପକ୍ଷରୁ ସଫଳତାର ସହ ପ୍ରଭାବିତ ନେଟ୍ୱର୍କର ଅଧିକାଂଶ ଅଂଶକୁ ସ୍ୱାଭାବିକ କରାଯାଇଛି ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଭାବେ ସମାଧାନ କରାଯାଉଛି । ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହିତ ହୋଇଥିବା ବୈଠକରେ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ ଏହା ଉପରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ କାଳବୈଶାଖି ଭଳି ଘଟଣାରେ ଶୀଘ୍ର ପୁନରୁଦ୍ଧାର ଲାଗି ଟିପିସିଓଡିଏଲ୍ ପକ୍ଷରୁ କ୍ଷେତ୍ରରେ ୭,୭୦୦ କର୍ମଚାରୀ ମୂତୟନ କରାଯାଇଥିବା ବେଳେ ସେମାନଙ୍କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ଆଦି ପ୍ରଦାନ କରାଯାଇଛି । ରାତି ସମୟରେ ପୁନରୁଦ୍ଧାର କାର୍ଯ୍ୟ ଲାଗି କଂପାନି ପକ୍ଷରୁ ଆସ୍କା ଆଲୋକ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ, ଯେକୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତିରେ ୧୦୦୦ କର୍ମଚାରୀ ନିୟୋଜିତ ହେବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସ୍ଥିତିକୁ ନଜର ରଖି, ଟିପିସିଓଡିଏଲର ସମସ୍ତ ବୈଷୟିକ କର୍ମଚାରୀଙ୍କ ସବୁ ଛୁଟି ବାତିଲ କରାଯାଇଛି ଏବଂ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛନ୍ତି ବୋଲି ଟିପିସିଓଡିଏଲ ପକ୍ଷରୁ କୁହାଯାଇଛି।

Comments are closed.