ଆସନ୍ତାକାଲି ଭାରତ ଆସୁଛନ୍ତି ୮ ଚିତା

ନୂଆଦିଲ୍ଲୀ, ୧୫।୯: ପୁଣି ଭାରତର ଜଙ୍ଗଲରେ ଦୌଡ଼ିବ ଚିତା ବାଘ। ପ୍ରାୟ ସାତ ଦଶନ୍ଧି ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିବ। ଏଥିପାଇଁ ଆଫ୍ରିକାର ନାମିବିୟାରୁ ଆସୁଛି ୮ ଚିତା ବାଘ। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆସନ୍ତା ୧୭ ତାରିଖରେ ଭାରତକୁ ଚିତା ବାଘ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନାମିବିୟାରେ ଚିତା ବାଘଙ୍କୁ ନେଇ ଆସିବାକୁ ଥିବା ବିମାନକୁ ମଧ୍ୟ ସ୍ୱତନ୍ତ୍ର ରୂପେ ଡିଜାଇନ୍‌ କରାଯାଇଛି। ଏହି ବିମାନରେ ଚିତା ବାଘର ମୁହଁକୁ ଚିତ୍ରିତ କରାଯାଇଛି। ଯାହାର ଫଟୋକୁ ଭାରତୀୟ ହାଇ କମିସନ ସେଆର କରିଛନ୍ତି ।

ନାମିବିୟାର ରାଜଧାନୀ ୱିଣ୍ଡହକରୁ ଆସନ୍ତାକାଲି ଏକ ଚାଟାର୍ଡ ବିମାନରେ ୮ଟି ଚିତା ବାଘକୁ ଭାରତ ଅଣାଯିବ। ଏଥିରେ ୩ଟି ବାଘ ଓ ୫ଟି ବାଘୁଣୀ ଅଛନ୍ତି। ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ତେବେ ଆଣିବା ବାଟରେ ଚିତାଙ୍କୁ କୌଣସି ଖାଦ୍ୟ ଦିଆଯିବ ନାହିଁ । ବିମାନ ଇନ୍ଧନ ଭର୍ତ୍ତି କରିବାକୁ କୌଣସି ସ୍ଥାନରେ ଅଟକିବ ନାହିଁ।

ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ  ଚିତା ବାଘକୁ ନେଇ ଆସୁଥିବା ବିମାନ ରାଜସ୍ଥାନ ବିମାନ ବନ୍ଦରରେ ପହଞ୍ଚିବ। ନାମିବିୟାରୁ ଆସିବାକୁ ଏହି ବିମାନଟିକୁ ୧୧ ଘଣ୍ଟା ସମୟ ଲାଗିବ। ଏହାପରେ ଚାଟାର୍ଡ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କକୁ ଅଣାଯିବ। ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ।

Comments are closed.