ସରିଲା ନବୀନ-ଜଗନ ଭେଟ୍‌ଘାଟ୍

କୋଟିଆ ସୀମା ବିବାଦ, ବାହୁଡା ନଦୀରୁ ଜଳ ନିଷ୍ପାସନ, ପୋଲାଭରମକୁ ନେଇ ଆଲୋଚନା

0

ଭୁବନେଶ୍ବର, ୯।୧୧ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଜି ରାଜ୍ୟ ଅତିଥି ଭବନରେ ଆଲୋଚନା ହୋଇଛି। ଏଥିରେ ଉଭୟ ରାଜ୍ୟର ସୀମା ପ୍ରସଙ୍ଗ ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବିଶେଷ କରି ଜଳ ସମ୍ପଦ, ସୀମା ବିବାଦ ଓ ଶକ୍ତି କ୍ଷେତ୍ରରେ ଆଲୋଚନା ହୋଇଥିଲା।
କୋଟିଆ ସୀମା ବିବାଦ, ନେରେଡି ବ୍ୟାରେଜ, ଝଞ୍ଜାବତୀ ରିଜର୍ଭର, ବାହୁଡା ନଦୀରୁ ଜଳ ନିଷ୍ପାସନ, ପୋଲାଭରମ ପ୍ରସଙ୍ଗ ଆଲୋଚନା କରିଥିଲେ। ବାଲିମେଳା ଓ ସିଲେରୁ ନଦୀରୁ ଜଳ ବିଦ୍ୟୁତ ଉତ୍ପାଦନ ନେଇ ମିଳିତ ଏନ୍ଓସି ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜେଇ ଚାଷ ରୋକିବା ଉପରେ ଉଭୟ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେବେ। ଶ୍ରୀକାକୁଲମସ୍ଥିତ ବି.ଆର ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ତେଲୁଗୁ ଭାଷା ଚେୟାର ସ୍ଥାପନ ନେଇ ଉଭୟ ରାଜ୍ୟ ମିଳିତ ଭାବେ କାମ କରିବେ। ୨ ରାଜ୍ୟର ସୀମାଭିତ୍ତିକ ଜିଲ୍ଳା ସ୍କୁଲରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯିବା ସହ ପାଠ୍ୟପୁସ୍ତକ ବିତରଣ ଓ ଭାଷାଭିତ୍ତିକ ପରୀକ୍ଷା କରିବା ନେଇ ଆଲୋଚନା ହୋଇଥିଲା। ଏହା ଭାଇଚାରାକୁ ପୋତ୍ସାହିତ କରିବ।
ସେହିପରି ସଂଘୀୟ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଦିଗରେ ୨ ରାଜ୍ୟ ସହଯୋଗ କରିବେ। ଉଭୟ ରାଜ୍ୟର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨ ରାଜ୍ୟର ମୁଖ୍ୟ ଶାସନ ସଚିବ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଉଭୟ ରାଜ୍ୟ ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.