୧୧ ଓଡ଼ିଆ ପାଇଲେ ପଦ୍ମ ପୁରସ୍କାର

0

ଭୁବନେଶ୍ବର, ୮।୧୧: ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆଜି ମିଳିଛି ପଦ୍ମ ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ର ସମସ୍ତ ବିଜେତାଙ୍କୁ ସମ୍ମାନିତ କରିଛନ୍ତି। ଓଡ଼ିଶାର ମୋଟ ୧୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଜଣାଶୁଣା ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ ୨୭ ତାରିଖରେ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା। ଏହା ପୂର୍ବରୁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୬ରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଜୈବ୍ୟ କୃଷିରେ ବିପ୍ଲବ ଆଣିଥିବା ଓଡ଼ିଆ ବାପା ଓ ଝିଅ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ପ୍ରଫେସର ରାଧାମୋହନଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରଫେସର ରାଧାମୋହନଙ୍କ ପତ୍ନୀ ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ଝିଅ ସାବରମତୀ, ରାଷ୍ଟ୍ରପତିଙ୍କ ପାଖରୁ ସମ୍ମାନ ନେଇଛନ୍ତି।

ସେହିପରି ସାନ୍ତାଳୀ ଭାଷାରେ ପାରଦର୍ଶିତା ଓ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଡକ୍ଟର ଦମୟନ୍ତୀ ବେସରା, ଶିକ୍ଷା ଓ ସାହିତ୍ୟ ପାଇଁ ବୀଣାପାଣି ମହାନ୍ତି ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଗୁଣ୍ଟିଆ (କଳା), ସ୍ୱର୍ଗତ ମନମୋହନ ମହାପାତ୍ର (କଳା), ଦିଗମ୍ବର ବେହେରା (ମେଡିସିନ୍), ଉତ୍ସବ ଚରଣ ଦାସ (କଳା), ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଓ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛିା ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କୁ ମିଳିଛି ପଦ୍ମ ବିଭୂଷଣ।

ଐତିହାସିକ ବିବି ଲାଲ୍, ମେଡିସନ୍ ପାଇଁ ବିଏମ୍ ହେଗଡେ ଏବଂ ବିଧି ମୁତାବକ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ମରଣୋତ୍ତର ସମ୍ମାନ ମିଳିଥିବା ବେଳେ ରାମବିଲାସ ପାସ୍‌ୱାନ, କେସୁଭାଇ ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟଲୀ, ଜର୍ଜ ଫଡନାଡିଜ୍‌ଙ୍କୁ ମିଳିଛି ପଦ୍ମ ଭୂଷଣ ସମ୍ମାନ। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା ଦେଶର ପ୍ରଥମ ମହିଳା ଏୟାର ମାର୍ସଲ ପଦ୍ମା ବନ୍ଧୋପାଧାୟ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ୫ ଥରର ମୁଖ୍ୟମନ୍ତ୍ରୀ ଏସଜି ଜମିର, ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ, ମହିଳା ହକି ଟିମ୍ କ୍ୟାପଟେନ୍ ରାଣୀ ରାମପାଲ୍, ଅଭିନେତ୍ରୀ କଙ୍ଗନା ରାଣାୱତ, ଗାୟକ ଅଦନାନ ସାମୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ଆଜିର କାଯର୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ବରିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲୋ

 

Leave A Reply

Your email address will not be published.