ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, ଜାମିନ୍ ବି ମଞ୍ଜୁର

0

ଭୁବନେଶ୍ବର,୨୬/୧୦: ୧୯୯୯ ମସିହାରେ ଝାଡ଼ଖଣ୍ଡରେ କୋଲ୍‌ ବ୍ଲକ୍‌ ଆବଣ୍ଟନରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ତତ୍‌କାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ସହ ଆଉ ଦୁଇ ଜଣ ଅଭି‌ଯୁକ୍ତଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହି ବହୁ ଚର୍ଚ୍ଚିତ କୋଲ୍‌ ସ୍କାମ୍‌ରେ ସିବିଆଇ ସ୍ବତନ୍ତ୍ର କୋର୍ଟ ପୂର୍ବରୁ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଆଜି ଦଣ୍ଡାଦେଶ ଶୁଣାଇବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ଦଣ୍ଡାଦେଶ ପରେ ସଙ୍ଗେ ସଙ୍ଗେ ସ୍ବତନ୍ତ୍ର କୋର୍ଟ ଶ୍ରୀ ରାୟଙ୍କୁ ଜାମିନ୍‌ ଦେଇଛନ୍ତି। ଏକ ଲକ୍ଷ ଟଙ୍କାର ଜାମିନ୍ ବଣ୍ଡ୍‌ ସେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ୍ ମିଳିଛି।

ସୂଚନାଯୋଗ୍ୟ ଯେ ବାଜପେୟୀ ସରକାରରେ ଶ୍ରୀ ରାୟ କୋଇଲା ମନ୍ତ୍ରୀ ଥିଲେ। ସେତେବେଳେ ବାଜପେୟୀଙ୍କ ନେତୃତ୍ବରେ ଚାଲିଥିବା ଏନ୍‌ଡିଏ ସରକାରରେ ବିଜେଡି ଅଂଶୀଦାର ଥିଲା। ଶ୍ରୀ ରାୟ ବିଜେଡିରୁ ପ୍ରତିନିଧିତ୍ବ କରୁଥିଲେ। ପରବର୍ତ୍ତୀ ସମୟରେ ରାଜନୈତିକ ଘଟଣାକ୍ରମେ ଶ୍ରୀ ରାୟ ବିଜେଡିରୁ ବିଦା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ସେ ରାଉରକେଲାରୁ ବିଜେପି ଟିକେଟ୍‌ରେ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। କିନ୍ତୁ ରାଉରକେଲାରେ କିଛି ବିକାଶମୂଳକ କାମ ତ୍ବରାନ୍ବିତ ହେଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ  ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ। ୨୦୧୯ ନିର୍ବାଚଚନରେ ସେ ଆଉ ପ୍ରତିଦ୍ବନ୍ଦିତା କରି ନ ଥିଲେ। ଆଜିର ଦଣ୍ଡାଦେଶ ପରେ ଶ୍ରୀ ରାୟଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.