ଭିସା ଓ ଭ୍ରମଣ କଟକଣାରେ ପର୍ଯ୍ୟାୟକ୍ରମିକ କୋହଳ ବ୍ୟବସ୍ଥା

0

କରୋନା ମହାମାରୀ ସ୍ଥିତି ଯୋଗୁଁ ଭାରତ ସରକାର 2020 ଫେବୃୟାରୀଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଯାତାୟତ ଉପରେ କଟକଣା ଜାରି କରିଥିଲେ । ଏହା ଫଳରେ ଭାରତ ଭିତରୁ ବାହାରକୁ ଏବଂ ବାହାରୁ ଭାରତକୁ ଯାତ୍ରୀମାନଙ୍କ ଯାତାୟତ ପ୍ରାୟତଃ ବନ୍ଦ ରହିଥିଲା ।

ଏବେ ସରକାର ଭିସା ପ୍ରଦାନ ଓ ଆନ୍ତର୍ଜାତିକ ଭ୍ରମଣ ଉପରେ ଥିବା କଟକଣାକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ବିଭିନ୍ନ ବର୍ଗର ବିଦେଶୀ ଓ ଭାରତୀୟ ନାଗରିକ ଯେଉଁମାନେ ଭାରତ ଆସିବାକୁ କିମ୍ବା ଛାଡିବାକୁ ଚାହୁଁଛନ୍ତି ସେମାନେ ଭ୍ରମଣର ସୁବିଧା ପାଇବେ । ତଦନୁସାରେ ସମସ୍ତ ଓସିଆଇ ଓ ପିଆଇଓ କାର୍ଡଧାରୀଙ୍କ ସମେତ ଅନ୍ୟ ସମସ୍ତ ବିଦେଶୀ ନାଗରିକ ଯେକୌଣସି କାର୍ଯ୍ୟରେ ଭାରତ ଭ୍ରମଣ କରିବାକୁ ଆଗ୍ରହୀ ସେମାନଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପର୍ଯ୍ୟଟନ ଭିସାରେ ଯେଉଁମାନେ ବିମାନ କିମ୍ବା ଜାହାଜ ଯୋଗେ ଭାରତ ପ୍ରବେଶ କରିବାକୁ ଚାହାନ୍ତି ସେମାନଙ୍କୁ ଏହି ସୁଯୋଗ ଏବେ ମିଳିବ ନାହିଁ । ଅନ୍ୟମାନଙ୍କୁ ଭାରତ ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ଅଧିକୃତ ବିମାନବନ୍ଦର, ବନ୍ଦର ଏବଂ ଇମିଗ୍ରେସନ ଚେକ୍‌ପୋଷ୍ଟ ମଧ୍ୟ ଦେଇ ଯାତାୟାତ କରିବାକୁ ସୁଯୋଗ ମିଳିବ । ବନ୍ଦେ ଭାରତ ମିଶନ, ଏୟାର ଟ୍ରାନ୍ସପୋର୍ଟ ବବ୍‌ଲ ବ୍ୟବସ୍ଥା କିମ୍ବା ଯେକୌଣସି ଅଣନିର୍ଦ୍ଧାରିତ ବ୍ୟାବସାୟିକ ଉଡାଣ, ଯାହା ବେସାମରିକ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ, ସେସବୁ ଏହି ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଛି । ତେବେ ଏ  ସମସ୍ତ ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ-19 ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ ।

ଏହି ପର୍ଯ୍ୟାୟକ୍ରମିକ କୋହଳ ବ୍ୟବସ୍ଥା ସହିତ ଭାରତ ସରକାର ତକ୍ରାଳ ଅଧିକାଂଶ ପ୍ରବର୍ତ୍ତମାନ ଭିସାକୁ ପୁନଃ ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଇଲେକ୍‌ଟ୍ରୋନିକ ଭିସା, ଟୁରିଷ୍ଟ ଭିସା ଓ ମେଡିକାଲ ଭିସା ଉପରୁ କଟକଣା ପ୍ରତ୍ୟାହାର ହୋଇନାହିଁ । ଏହି 3 ବର୍ଗର ଭିସା ଛାଡି ଅନ୍ୟ ଭିସାର ସମୟସୀମା ଯଦି ପୁରିଯାଇଥିବ ତେବେ ସଂପୃକ୍ତ ବ୍ୟକ୍ତି ସାନି ଭିସା ପାଇଁ ନିର୍ଦ୍ଧାରିତ ନିୟମରେ ଆବେଦନ କରି ବିଭିନ୍ନ ଭାରତୀୟ ଦୂତାବାସ ଏବଂ ଦପ୍ତରରୁ ତାହା ପାଇପାରିବେ । ବିଦେଶୀ ନାଗରିକ, ଯେଉଁମାନେ ଚିକିତ୍ସା ପାଇଁ ଭାରତ ଆସିବାକୁ  ଏବେ ଆଗ୍ରହୀ ସେମାନେ ନିଜର ଜଣେ ସାହାଯ୍ୟକାରୀଙ୍କ ସହ ମେଡିକାଲ ଭିସା ନିମନ୍ତେ ଆବେଦନ କରିପାରିବେ । ତେଣୁ ଏସବୁ ନିଷ୍ପତ୍ତି ଫଳରେ ଏବେ ବିଦେଶୀ ନାଗରିକମାନେ ବ୍ୟବସାୟ, ସମ୍ମିଳନୀ, ନିଯୁକ୍ତି, ଶିକ୍ଷାଲାଭ, ଗବେଷଣା ଓ ଚିକିତ୍ସା ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଭାରତକୁ ଆସିପାରିବେ ।

 

Leave A Reply

Your email address will not be published.