ଗୋଆରେ ବିଜେପିଙ୍କ ସମର୍ଥନ ଜଣାଇଲା ଏମ୍‌ଜିପି

୨୫କୁ ବଢ଼ିଲା ବିଜେପି ଆସନ ସଂଖ୍ୟା

0

ନୂଆଦିଲ୍ଲୀ, ୧୧।୩: ଗୋଆରେ ମ୍ୟାଜିକ ନମ୍ବରଠାରୁ ଗୋଟିଏ ଆସନ କମ୍‌ ଜିତିଥିବା ବିଜେପି ବେଶ ସହଜରେ ସରକାର ଗଠନ କରିବ। କାରଣ ବିଜେପିକୁ ସମର୍ଥନ ଘୋଷଣା କରିଛି ଆଞ୍ଚଳିକ ଦଳ ଏମ୍‌ଜିପି। ଏହି ସମର୍ଥନ ପରେ ବିଜେପି ଓ ସହଯୋଗୀ ଦଳଙ୍କ ଆସନ ସଂଖ୍ୟା ୨୫ରେ ପହଞ୍ଚି ଯାଇଛି। ଗୋଆରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୧ ହୋଇଥିବା ବେଳେ ବିଜେପି ମେଣ୍ଟ ପାଖରେ ୨୫ ଆସନ ରହିଛି। ତେଣୁ ବିଜେପି ଏଠାରେ ପୁଣି ସରକାର ଗଠନ କରିବ।

ବିଜେପି ଗୋଆର ୪୦ଟି ବିଧାନସଭା ଆସନରୁ ଏକାକୀ ୨୦ଟିରେ ଜିତିଛି। ସେହିପରି ଦଳକୁ ୩ ସ୍ୱାଧୀନ ବିଧାୟକ ଆଣ୍ଟୋନିଓ ବ୍ୟାସ, ଚନ୍ଦ୍ରକାନ୍ତ ସେଟ୍ଟୀ ଓ ଆଲେକ୍ସ ରେଗିନାଲ୍ଡ ସମର୍ଥନ କରିଥିଲେ। ଏବେ ଏମଜିପିର ୨ ବିଧାୟକ ମଧ୍ୟ ବିଜେପି କ୍ୟାମ୍ପକୁ ଆସିଛନ୍ତି। ବିଜେପି ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ନମ୍ବର ଥିବାରୁ ଦଳ ଆଜି ରାଜ୍ୟପାଳଙ୍କୁ ଭେଟିବ। ଏଥିସହ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଅନୁମତି ମାଗିବ। ସୋମବାର ଗୋଆରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠର କାର୍ଯ୍ୟକ୍ରମ ରହିଛି।

ଗୋଆରେ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୧ଟି ସ୍ଥାନରେ ବିଜୟୀ ହୋଇଛି। ସେହିପରି ଆମ ଆଦମୀ ପାର୍ଟି ୨ଟି, ଏମଜିପି ୨ଟି, ଆରଜିପି ୧, ଜିଏଫପି ୧ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଜିତିଛନ୍ତି। ବିଜେପି ରାଜ୍ୟରେ ୩୩.୩% ଭୋଟ ପାଇଥିବା ବେଳେ କଂଗ୍ରେସ ୨୩.୪୬% ଭୋଟ ପାଇଛି। ୨୦୧୭ ତୁଳନାରେ କଂଗ୍ରେସର ଭୋଟ ଭାଗ ୫% ହ୍ରାସ ପାଇଛି। ଏମଜିପି ୭.୨୬%, ଆପ ୬.୭୭% ଓ ଟିଏମସିର ଭୋଟ ଭାଗ ୫.୨୧% ରହିଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳଗୁଡ଼ିକ ୧୯.୩୩% ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.