ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ

ଅଗ୍ନିପଥ ସ୍କିମ ସଂପର୍କରେ ତିନି ସେନାର ସାମ୍ବାଦିକ ସମ୍ମିଳନୀ

0

ନୂଆଦିଲ୍ଲୀ, ୧୯।୬: ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବା ବେଳେ ତିନି ସେନା ମୁଖ୍ୟ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସ୍କିମକୁ ନେଇ ରହିଥିବା ସନ୍ଦେହ ଦୂର କରିଛନ୍ତି। ଏହାସହ ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ମିଲିଟାରି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି, ଭାରତୀୟ ସାମରିକ ବାହିନୀରେ ଏପରି ସଂସ୍କାର ବିଗତ ଅନେକ ବର୍ଷ ଧରି ବକେୟା ରହିଥିଲା। ଏହି ସଂସ୍କାର ଦ୍ବାରା ସେନା ଯବାନଙ୍କ ହାରାହାରି ବୟସ ହ୍ରାସ ପାଇବ ଯାହାକି ସେନାର ଦକ୍ଷତା ବୃଦ୍ଧି କରିବ। ଏବେ ସେନାର ଅଧିକାଂଶ ଯବାନଙ୍କ ବୟସ ୩୦ ବର୍ଷରୁ ଅଧିକ ରହିଛି। ସେ କହିଛନ୍ତି, ଏହି ସ୍କିମରେ ଆସନ୍ତା ୫ ବର୍ଷରେ ପ୍ରାୟ ୫୦ରୁ ୬୦ ହଜାର ନିଯୁକ୍ତି କରାଯିବ। ଭବିଷ୍ୟତରେ ଏହା ୧.୨୫ଲକ୍ଷକୁ ବୃଦ୍ଧି ପାଇପାରେ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ସ୍କିମକୁ ନେଇ କରାଯାଉଥିବା ହିଂସା ଠିକ ନୁହେଁ । ହିଂସା କରୁଥିବା ଯୁବଗୋଷ୍ଠୀଙ୍କୁ ଏହି ସ୍କିମରେ ସାମିଲ କରାଯିବ ନାହିଁ।

ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର ପ୍ରତିନିଧିତ୍ବ କରୁଥିବା ଏୟାର ମାର୍ସାଲ ଏସ୍‌କେ ଝା କହିଛନ୍ତି, ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁଲାଇ ୨୪ରୁ ଅନ୍‌ଲାଇନ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ତାଲିମ ଡିସେମ୍ବର ସୁଦ୍ଧା ଆରମ୍ଭ ହୋଇଯିବ।

ଅନ୍ୟପକ୍ଷରେ ନୌସେନାର ପ୍ରତିନିଧିତ୍ବ କରୁଥିବା ଭାଇସ୍‌ ଆଡ୍‌ମିରାଲ୍‌ ଦିନେଶ ତ୍ରିପାଠୀ କହିଛନ୍ତି ଯେ, ନୌସେନା ପୁରୁଷଙ୍କ ସମେତ ମହିଳା ଅଗ୍ନିବୀରଙ୍କ ନିଯୁକ୍ତ ମଧ୍ୟ କରିବ। ନଭେମ୍ବର ୨୧ରୁ ପ୍ରଥମ ବ୍ୟାଚ ନାଭାଲ ଅଗ୍ନିବୀରଙ୍କ ତାଲିମ ଆଇଏନଏସ ଚିଲିକାରେ ଆରମ୍ଭ ହେବ।

Leave A Reply

Your email address will not be published.