ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ, ନାକ୍‌ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

0

ଭୁବନେଶ୍ୱର, ୨୦/୬:  ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଣ୍ଟ୍‌  ଆଣ୍ଡ୍‌ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି। ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଣ୍ଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ। ୨୦୨୨ ମେ’ ୧୦ରୁ  ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତ୍ତର ରହିବ।

ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଓ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତ୍ତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା। ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ।

୨୦୦୯ ଓ ୨୦୧୫ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା। ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତ୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ରାଙ୍କିଂରେ  ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା। ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ରାଙ୍କିଙ୍ଗ  ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨  ରାଙ୍କିଙ୍ଗରେ  ମଧ୍ୟ ସୋଆ ସ୍ଥାନ ପାଇଛି ।

Leave A Reply

Your email address will not be published.