୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

0

ଭୁବନେଶ୍ୱର, ୧୫।୧୦: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗରେ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯିବା ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅବଗତ କରାଇଛନ୍ତି ।

ଓଡ଼ିଶା ଗ୍ରୁପ-ବି, ସି, ଡି ପଦବୀ(ଉଚ୍ଛଦ ଓ ସ୍ୱତନ୍ତ୍ର ପ୍ରାବଧାନ)-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଅନ୍ୟ ଯେଉଁ ପ୍ରସ୍ତାବଗୁଡ଼ିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ସେଥିରେ ୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ ମିଳିଛି । ନୟାଗଡ଼, କଳାହାଣ୍ଡି, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏସବୁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ଥୁଆମୂଳ ରାମପୁର ଓ କୋକସରା ବ୍ଲକର ମୋଟ ୩୬ଟି ପଂଚାୟତର ୧୫୫ଟି ଗାଁରେ ବାସ କରୁଥିବା ୧.୨୬ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୪୮.୯୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକଚର କରିବ ।

ଖୋର୍ଦ୍ଧା ଜିଲ୍ଲାର ୨ଟି ବ୍ଲକ ଟାଙ୍ଗୀ, ଭୁବନେଶ୍ୱର, ବାଲିପାଟଣା ଓ ବାଲିଅନ୍ତା ବ୍ଲକର ମୋଟ ୬୩ଟି ପଂଚାୟତର ୩୫୬ଟି ଗାଁର ୪.୧୬ଲକ୍ଷ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୪୫୬.୫୧କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ହାଇଦ୍ରାବାଦର ଏନସିସି ଲିଃ ଏହି ଟେଣ୍ଡର ପାଇଛି ।

ସେହିପରି ବରଗଡ଼ ଜିଲ୍ଲାର ଆମ୍ବାଭୋନା, ସୋହଲା ଓ ଭଟଲୀ ବ୍ଲକର ମୋଟ ୫୮ଟି ପଂଚାୟତର ୩୧୬ଟି ଗାଁରେ ବସବାସ କରୁଥିବା ମୋଟ ୨.୯୫ଲକ୍ଷ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୪୫୩.୧୦କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ଓ ଏହି କାର୍ଯ୍ୟ ମୁମ୍ବାଇର କେଇସି ଇଂଟରନ୍ୟାସନାଲ ସଂସ୍ଥା କରିବ ।

ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକର ମୋଟ ୭୩ଟି ପଂଚାୟତର ୪୨୯ଟି ଗାଁରେ ବସବାସ କରୁଥିବା ମୋଟ ୩.୦୮ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିନ୍ତେ ୩୯୫.୪୩କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି କାର୍ଯ୍ୟ ମୁମ୍ବାଇର କେଇସି ଇଂଟରନ୍ୟାସନାଲ ସଂସ୍ଥା ୨୪ମାସ ମଧ୍ୟରେ ଶେଷ କରିବ ।

ଏହାବ୍ୟତୀତ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଗ୍ରୁପ-ବି ଅନ୍ତର୍ଗତ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା କରାଯିବ । ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ ଆବେଦନ ନକରି ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ । ଏହା ଦ୍ୱାରା ପରୀକ୍ଷାର୍ଥୀଙ୍କ ସମୟ ଓ ଅର୍ଥ ବ୍ୟୟ ହ୍ରାସ ହେବା ସହ ରାଜ୍ୟ ସରକାରଙ୍କ ବ୍ୟୟଭାର ମଧ୍ୟ ହ୍ରାସ ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଆଜି କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ ରିକ୍ୟୁଟମେଂଟ ପ୍ରକ୍ରିୟା ନିୟମାବଳୀ-୨୦୨୨ ପ୍ରଣୟନକୁ ଅନୁମୋଦନ କରିଛନ୍ତି ।

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ଅବଧିରେ ଶେଷ କରିବା ନିମନ୍ତେ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ରୁ୍ୟଟମେଂଟ ପରୀକ୍ଷା-୨୦୨୨ ପ୍ରଣୟନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଫଳରେ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମେନ୍ତ ପରୀକ୍ଷାର୍ଥୀ ଆବେଦନ କରିପାରିବେ ।

ସେହିପରି ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୮ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । କୋଭିଡ୍ ସମୟରେ ଏହିସବୁ କେନ୍ଦ୍ରଗୁଡ଼ିକ ସରକାରଙ୍କ ନିର୍ଦ୍ଦେଶ ମାଗି ବନ୍ଦ ରହିଥିଲା । ଏହି ସବୁ କେନ୍ଦ୍ରରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.