ଭୁବନେଶ୍ବର,୧/୧୨: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଛି। ଶୀତରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଇଛି। ତେବେ ଡିସେମ୍ବର ପ୍ରଥମ ଦିନରେ ଅର୍ଥାତ ଆଜି ରାଜ୍ୟ ପାଇଁ କିଛିଟା ଆଶ୍ବସ୍ତି ମିଳିଛି। ଦୈନିକ କରୋନା ସଂକ୍ରମଣ ୪୦୦ ତଳକୁ ଖସିଯାଇଛି। ଦୀର୍ଘ ୪ ମାସ ପରେ ରାଜ୍ୟରେ ସଂକ୍ରମଣ ଏହି ସ୍ତରକୁ ଖସିଛି। ଏହା ସହ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ରୋଗୀ ସଂଖ୍ୟା ମଧ୍ୟ ଲଗାତର ଭାବେ କମିବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଗୃହ ସଙ୍ଗରୋଧରେ ରହୁଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୯ ଜଣ ସଙ୍ଗରୋଧରେ ଥିଲାବେଳେ ୧୫୯ ଲୋକାଲ୍ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଚିହ୍ନଟ ହୋଇଛନ୍ତ। ଖୋର୍ଦ୍ଧାରୁ ୩୭ ଓ ମୟୂରଭଞ୍ଜରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଅଧା ଜିଲ୍ଲାରେ ସଂକ୍ରମଣ ୧୦ ତଳକୁ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୯,୧୦୩ରେ ପହଞ୍ଚିଛି।
ଗତ କିଛି ଦିନ ଧରି ଲଗାତର ଭାବେ କରୋନା ମୃତ୍ୟୁ ସଂଖ୍ୟା ୧୦ ତଳେ ରହୁଛି। ଆଜି ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟରେ ପୁରୀ ଜିଲ୍ଲାର ୩ ଜଣ ଥିଲା ବେଳେ ଜଗତସିଂହପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ରହିଛନ୍ତି। ଏହା ସହ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୭୩୯ ହୋଇଛି।