ମାସକ ଆଗରୁ ସରିଗଲା ବିଧାନସଭା ଶୀତ ଅଧିବେଶନ

ଗୃହ ଚାଲିଲା ମାତ୍ର ୧୦ ଦିନ, ଶେଷ ଦିନରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ବର,୨୯/୧୧: ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୦ ଯାଏ ବସିବାର ଥିଲା। କିନ୍ତୁ ମାସକ ଆଗରୁ ଆଜି ଶେଷ ହୋଇଛି। ଆଜି ୨୦୨୦-୨୧ ଆର୍ଥିକ ବର୍ଷ ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେଲା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ ରଖିଛନ୍ତି।

ପ୍ରତି ବର୍ଷ ବିଧାନସଭା ୬୦ ଦିନ ବସିବାର ନିୟମ ରହିଛି। ତେବେ ଗୃହ ଚାହିଁଲେ ଏହାକୁ ୬୦ ଦିନ ପୂର୍ବରୁ ମଧ୍ୟ  ଶେଷ କରାଯାଇପାରିବ। ଗତ ବଜେଟ୍‌ ଓ ମୌସୁମୀ ଅଧିବେଶନରେ ମାତ୍ର ୨୦ ଦିନ ଗୃହ ଚାଲିଥିଲା। ତେଣୁ ଶୀତ ଅଧିବେଶନକୁ ୪୦ ଦିନ କରିବା ପାଇଁ ସୂଚୀ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଆଜି ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହେଲା ପରେ ଶାସକ ଦଳ ମୁଖ୍ୟ ସଚେତକ ଗୃହରେ ଆଉ କାର୍ଯ୍ୟ ନ ଥିବାରୁ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିଲେ। ତାହା ଗୃହରେ ବହୁ ମତରେ ଗୃହୀତ ହୋଇଥିଲା। ଏହା ପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

ଆଜି ଶେଷ ଦିବସରେ ବିଜେପି ପରୀ ହତ୍ୟାକାଣ୍ଡ ମାମଲାରେ ହୋହଲ୍ଲା ଜାରି ରଖିଥିଲା। ଏହି ହୋହଲ୍ଲା ଭିତରେ ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ହୋଇଥିଲା। କଂଗ୍ରେସ ସଭ୍ୟମାନେ ସରକାରଙ୍କ ଅପାରଗତାକୁ ଦେଖାଇ ସମାଲୋଚନା କରିଥିଲେ। ବିଜେଡି ସଭ୍ୟମାନେ ସରକାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶେଷରେ ଅର୍ଥ ମନ୍ତ୍ରୀ ଉତ୍ତର ରଖିଲା ପରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହୋଇଥିଲା।

ଶୀତ ଅଧିବେଶନରେ ୨ଟି ପ୍ରସ୍ତାବ ଉପରେ ମୁଲତବୀ ଆଲୋଚନା ହୋଇଥିଲା ବେଳେ ଗୋଟିଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୩ଟି ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା ବେଳେ ୭ଟି ବିଲ୍‌ ପାରିତ ହୋଇଥିଲା। ବିରୋଧୀଙ୍କ ହଟଗୋଳ ଯୋଗୁ କେବଳ ପଞ୍ଚାୟତିରାଜ ବିଭାଗକୁ ଛାଡ଼ି ଦେଲେ କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇପାରି ନ ଥିଲା। ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଥିଲା।

କୋଭିଡ୍‌ ପାଇଁ ସ୍ବତନ୍ତ୍ର କଟକଣା ଭିତରେ ବିଧାନସଭା ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କିଛି ମନ୍ତ୍ରୀ, ବିଧାୟକ ଲୋକସେବା ଭବନରୁ ବସି ଭିଡିଓ କନ୍‌ଫରେନ୍ସିଂରେ ବିଧାନସଭା କାର୍ଯ୍ୟରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।

Comments are closed.