ନଭେମ୍ବର ଶେଷ ରବିବାର ଦେଲା ଆଶ୍ବସ୍ତି

ଦୈନିକ ସଂକ୍ରମଣ ଖସୁଛି, ମୃତ୍ୟୁ ସଂଖ୍ୟା ବି ୫ ତଳେ

0

ଭୁବନେଶ୍ବର,୨୯/୧୧: ରାଜ୍ୟରେ କ‌ରୋନା ଦୈନିକ ସଂକ୍ରମଣ ଲଗାତର ଭାବେ ଖସି ଚାଲିଥିଲା। ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିଲା। ଦୈନିକ ସଂକ୍ରମଣ ୪ ହଜାର ଉପରେ ଥିଲା ବେଳେ ଯେତିକି ଲୋକ କରୋନାରେ ମୃତ୍ୟୁବରଣ କରୁଥିଲେ, ଏକ ହଜାର ତଳକୁ ସଂକ୍ରମଣ ଖସିଲା ପରେ ବି ସମାନ ସ୍ଥିତି ଲାଗି ରହିଲା। କିନ୍ତୁ ନଭେମ୍ବରର ଶେଷ ରବିବାର ଅର୍ଥାତ ଆଜି ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି। ପ୍ରଥମ ଥର ପାଇଁ କରୋନାରେ ମୃତ୍ୟୁ ସଂଖ୍ୟା ଏକ ଅଙ୍କକୁ ଖସିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ମୃତ୍ୟୁବରଣ କରିଥିବା ୪ ଜଣ ଭୁବନେଶ୍ବର, ଖୋର୍ଦ୍ଧା, ବାଲେଶ୍ବର ଓ ଢେଙ୍କାନାଳ ଅଞ୍ଚଳର। ସମସ୍ତ ବୟସ ୪୩ରୁ ୫୭ ମଧ୍ୟରେ। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୩୪ରେ ପହଞ୍ଚିଛି।

ସେହିପରି କରୋନା ସଂକ୍ରମଣ ଟ୍ରେଣ୍ଡ୍‌ ବି ଏବେ ତଳ ମୁହାଁ ଅଛି। ଲଗାତର କିଛି ଦିନ ଧରି ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ମାସ ମଧ୍ୟରେ ଏହା ସର୍ବନିମ୍ନ। ୫୧୮ ପଜିଟିଭ୍ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିଲା ବେଳେ ମୟୂରଭଞ୍ଜରୁ ୪୯ ଓ କଟକରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୧୦,୫୪୯ ଜଣ ସୁସ୍ଥ ‌ହୋଇସାରିଲେଣି।

Leave A Reply

Your email address will not be published.