ଜନବିରୋଧୀ କାର୍ଯ୍ୟର ହିସାବ ମାଗିଲେ ପ୍ରଦୀପ

ବହିଷ୍କାର ପରେ ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା, ବିଜେଡିରେ କିଛି ଠିକ୍ ଚାଲିନି ବୋଲି ଦେଲେ ଇଙ୍ଗିତ

0

ଭୁବନେଶ୍ବର,୨୯/୧୧: ଆଜି ସକାଳେ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ବହିଷ୍କାର ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହିଷ୍କାରର କିଛି ସମୟ ପରେ ସେ ଗଣମାଧ୍ୟମକୁ ସାମ୍ନା କରିଥିଲେ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆ‌ଦୌ କିଛି କହି ନ ଥିଲେ। କିନ୍ତୁ ବିଜେଡିରେ କିଛି ଠିକ୍ ଚାଲିନି ବୋଲି ଇଙ୍ଗିତ ଦେଇଥିଲେ। ତାଙ୍କ ଉପରେ ଆସିଥିବା ଅଭିଯୋଗ ସମ୍ପର୍କରେ କହିଥିଲେ ଯେ ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି। ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ଦଳ ତାହାର ହିସାବ ଦେଉ। ଗଣମାଧ୍ୟମ ବି ଜନବିରୋଧୀ କାର୍ଯ୍ୟ ଖୋଜି ବାହାର କରି       ବାକୁ ସେ କହିଥିଲେ।

ଶ୍ରୀ ପାଣିଗ୍ରାହୀ ଆହୁରି କହିଥିଲେ ଯେ ଦଳର ଉଚ୍ଚ ସ୍ତରରେ ଅସନ୍ତୋଷ ରହିଛି। ବହୁ ବରିଷ୍ଠ ନେତା ଖୁସି ନାହାନ୍ତି। ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ପାରିବା ଏହି ଅସନ୍ତୋଷର ମୁଖ୍ୟ କାରଣ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଅସନ୍ତୋଷର କଥା ପହଞ୍ଚି ପାରୁ ନାହିଁ। କେହି ଓଡ଼ିଆ ଚୁପ୍ ରହିବାକୁ ପସନ୍ଦ କରନ୍ତି ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କୁ  ଭଲ ପାଇବା ଓ ଶ୍ରଦ୍ଧା ‌ଯୋଗୁ ସମସ୍ତେ ଚୁପ୍ ବସିଛନ୍ତି। ମୁଁ କେବେ ଅଫିସର୍‌ଙ୍କ ଅଧୀନରେ ରହି ରାଜନୈତିକ କାମ କରିବାକୁ ଚାହିଁବିନି। ମୋର ସ୍ବାଭିମାନ ଅଛି। ରାଜନୀତି ଛାଡ଼ି ଦେବି ପଛେ, ଅଫିସର୍‌ଙ୍କ ଅଧୀନରେ ରହିବିନି।

ଆଉ ଏକ ଗୁରୁତର ଅଭିଯୋଗ ଆଣି ପ୍ରଦୀପ କହିଛନ୍ତି, ବିଜେଡି ଜେନେରାଲ୍‌ ସେକ୍ରେଟାରି ବିଶ୍ବରଞ୍ଜନ ମହାନ୍ତି ଦିନେ କହିଲେ ଯେ ଭାଇନା ସରକାର ଭାଙ୍ଗିଯିବ। ବିଜେପି ଏଥି ପାଇଁ ଯୋଜନା କରୁଛି। ମୁଁ ତାଙ୍କୁ ପଚାରିଥିଲି ଯେ ତୁମେ କ’ଣ ପୂରା ନିଶ୍ଚିତ। ସେ ହଁ ଭରିଥିଲେ। ତା’ ପରେ ମୁଁ ଏ କଥା ସାର୍‌ଙ୍କୁ ଫୋନ୍‌ କରି କହିଥିଲି। ତା’ ପରେ ବିଶ୍ବରଞ୍ଜନ ମହାନ୍ତିଙ୍କ ସହ ବି ସିଏମ୍‌ କଥା ହୋଇଥ‌ିଲେ। ଏହା ପରେ ରାତିରେ ବବି ଦାସ ଓ ଅଚ୍ୟୁତ ସାମନ୍ତ ମୋ ଘରକୁ ଆସିଥିଲେ। ମୁଁ କାହିଁକି ଏମିତି ମିଛ ଅଭିଯୋଗ କରୁଛି ବୋଲି ପଚାରିଥିଲେ। ମୋର ଏଥିରେ କିଛି ଭୂମିକା ନାହିଁ ବୋଲି କହିଥିଲି। ଆଉ ଯଦି ମୋ ନାଁରେ କିଛି ଅଭିଯୋଗ ଅଛି, ତା’ହେଲେ ଉପସ୍ଥାପନ କରନ୍ତୁ ବୋଲି କହିଥିଲି। ସେଦିନ ବବି ମୋତେ ପଚାରିଥିଲେ ଯେ ୧୧ ଡିସେମ୍ବରରେ ତୁମ ଝିଅ ବାହାଘର ଅଛି ତ ? ହଉ ଦେଖାଯାଉ ବୋଲି କହି ସେ ଚାଲିଯାଇଥିଲେ। ସୂଚନାଯୋଗ୍ୟ ଯେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବ‌ାହ ଡିସେମ୍ବର ୧୧ ତାରିଖରେ ହେବାର ଥିଲା। ଆକାଶ ମଧ୍ୟ ବାପାଙ୍କ ସହ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପ୍ରଦୀପ କହିଛନ୍ତି ଯେ ଯିଏ ମୋତେ ‌ପରିଚୟ ଦେଇଛନ୍ତି, ତିନି ଥର ବିଧାୟକ କରିଛନ୍ତି ଓ ମନ୍ତ୍ରୀ କରିବା ସହିତ ତାଙ୍କ ପ୍ରତିନିଧି କହିଛନ୍ତି, ତାଙ୍କ ବିରୋଧରେ ମୋର କିଛି କହିବାର ନାହିଁ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଶ୍ରୀ ପାଣିଗ୍ରାହୀ ହିଞ୍ଜିଳିରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.