ପରୀ ହତ୍ୟାକାଣ୍ଡର ତଦନ୍ତ କରିବେ ବୋଥ୍ରା

0

ଭୁବନେଶ୍ବର,୨୯/୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଆଇଜି ପାହ୍ୟାର ଅଫିସର୍‌ ଅରୁଣ ବୋଥ୍ରା ଏହି ଟିମ୍‌ର ନେତୃତ୍ବ ନେବେ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଟିମ୍‌ ତଦନ୍ତ କରିବେ। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିରେ ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ମାଧ୍ୟମରେ ମାମଲା ପରିଚାଳନା ନିମନ୍ତେ ଅନୁମତି ଦେବାକୁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ଗତ ୨୭ ତାରିଖରେ ଏସ୍‌ଆଇଟି ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ। ଗତକାଲି ବିଧାନସଭାରେ ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏସ୍‌ଆଇଟି ଗଠନ ନେଇ ବିଧାନସଭାକୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଯେ ଅରୁଣ ବୋଥ୍ରା କ୍ରାଇମ୍‌ବ୍ରାଞ୍ଚ୍‌ରେ ଥିବା ବେଳେ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫେଶରଣ ମାମଲାର ରହସ୍ୟ ଉନ୍ମୋଚନ କରିଥିଲେ। କେବଳ ସେହି ଗୋଟିଏ ମାମଲା ନୁହେଁ, ଏକାଧିକ ବହୁଚର୍ଚ୍ଚିତ ମାମଲାରେ ଶ୍ରୀ ବୋଥ୍ରା ନିଜର ପାରିଦର୍ଶିତା ଦେଖାଇଛନ୍ତି।

ଗତ ତିନି ଦିନ ହେଲା ପରୀ ହତ୍ୟା ମାମଲାରେ ବିଧାନସଭା ଅଚଳ ହେବାରେ ଲାଗିଛି। ଗତକାଲି ଏସ୍‌ଆଇଟି ଗଠନ ଘୋଷଣା ହେଲା ପରେ କଂଗ୍ରେସ ଗୃହ କାର୍ଯ୍ୟରେ ସହଯୋଗ କରିଥିଲା। କିନ୍ତୁ ବିଜେପି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଗୃହ ଅଚଳ କରିଥିଲା।

Leave A Reply

Your email address will not be published.