ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୯ ଯାଏ ନାମଲେଖା ଅବେଦନ

୧୪ଟି ବିଭାଗରେ ହେବ ନାମଲେଖା, ଏପ୍ରିଲ୍‌ ୧୯ ଯାଏ କରିପାରିବେ ଆବେଦନ

0

ଭୁବନେଶ୍ୱର,୧୩/୦୪: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ଟି ସ୍ନାତକୋତ୍ତର ବିଭାଗରେ ନାମଲେଖା ହେବ । ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ନାତକୋତ୍ତର (ସିୟୁଇଟି-ପିଜି)ପରୀକ୍ଷା ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଉଛି । ମାର୍ଚ୍ଚ ୨୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏପ୍ରିଲ୍‌ ୧୯ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ଛାତ୍ରଛାତ୍ରୀ https://cuet.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରିପାରିବେ । ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ଟି ସ୍ନାତକୋତ୍ତର ବିଭାଗରେ ନାମଲେଖା ହୋଇପାରିବ । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସୋସିଓଲୋଜି, ଅର୍ଥନୀତି, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ, ଆନ୍ଥ୍ରୋପୋଲୋଜି, ଜୈବ ବିବିଧତା ଓ ପ୍ରାକୃତିକ ସଂପଦର ସଂରକ୍ଷଣ, ପରିସଂଖ୍ୟାନ, କମ୍ପ୍ୟୁଟର ସାଇନ୍ସ, ଏମ୍‌ବିଏ, ଏମ୍‌ବିଏ (କାର୍ଯ୍ୟନିର୍ବାହୀ), ଏକ ବର୍ଷିଆ ଇଣ୍ଟିଗ୍ରେଡେଟ୍‌ ଏମ୍‌ଏସ୍‌ସି ଗଣିତ, ୨ ବର୍ଷିିଆ ବିଇଡି ପାଇଁ ନାମଲେଖା ଆବେଦନ ଚାଲିଛି । ବିଶ୍ୱବିଦ୍ୟାଳୟ କୃଷି ଓ ଜଙ୍ଗଲ ପରିଚାଳନାରେ ପାଠପଢ଼ା ପାଇଁ ଯୋଜନା କରିଛି । ତେଣୁ ଛାତ୍ରଛାତ୍ରୀମାନେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଅଧିକ ମାତ୍ରାରେ ଆବେଦନ କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତ୍ରିପାଠୀ କହିଛନ୍ତି ।

ସାରା ଦେଶରେ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରିକ୍ଷା (ସିୟୁଇଟି-୨୦୨୩) ପାଇଁ ଆବେଦନ ଚାଲିଛି । ଏଥିରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟ, ଡିମ୍‌ ବିଶ୍ୱବିଦ୍ୟାଳୟ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ନାମଲେଖା ପାଇଁ ଆବେଦନ କରାଯିବ । ସିୟୁଇଟି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଚାହୁଁଥିବା ବିଶ୍ୱବିଦ୍ୟାଳୟ ପାଇଁ ଆବେଦନ କରିବେ । ସାରା ଦେଶରେ ଏକକ ପ୍ରବେଶିକ ପରୀକ୍ଷା ହେବ । ଏପ୍ରିଲ୍‌ ୧୯ ରାତି ୧୧ଟା ୫୦ ସୁଦ୍ଧା ଆବେଦନ ଟଙ୍କା ପୈଠ କରିବାକୁ କୁହାଯାଇଛି । ୨୦ରୁ ୨୩ ତାରିଖ ମଧ୍ୟରେ ଆବେଦନ ଫର୍ମ ସଂଶୋଧନ କରିବାକୁ ସୁଯୋଗ ଦିଆଯିବ । ପ୍ରବେଶିକା ପରୀକ୍ଷା ପାଇଁ ଏନ୍‌ଟିଏ ପକ୍ଷରୁ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ । ଏଥିସହ ଏନ୍‌ଟିଏ ୱେବସାଇଟ୍‌ରେ ଏହି ସଂପର୍କରେ ତଥ୍ୟ ପ୍ରକାଶ ପାଇବ । ପରୀକ୍ଷା ସମୟ ୧୨୦ ମିନିଟ୍‌ ରହିବ । ଇଂରାଜୀ ଓ ହିନ୍ଦୀ ଭାଷା ମାଧ୍ୟମରେ ପରୀକ୍ଷା ହେବ । ସମସ୍ତ ତଥ୍ୟ https://cuet.nic.in ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।

Leave A Reply

Your email address will not be published.