ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତ୍ୟପାଠ: ସୃଷ୍ଟି ହେଲା ନୂଆ ୫ ହଜାର ମେଡିକାଲ୍‌ ଅଫିସର ପଦ

0

କଟକ,୧୩/୦୪: ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଲାଗି ନୂଆ ୫ ହଜାର ମେଡିକାଲ୍‌ ଅଫିସର (ଗ୍ରୁପ୍‌-ଏ) ପଦ ସୃଷ୍ଟି କରାଯାଇଛି । ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ପଦ ଆସନ୍ତା ଅକ୍ଟୋବର ମଧ୍ୟରେ ପୂରଣ କରାଯିବ ବୋଲି ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଦାଖଲ ଏହି ସତ୍ୟପାଠରେ କୁହାଯାଇଛି କି, ରାଜ୍ୟରେ ମୋଟ୍‌ ୧୦,୭୭୪ଟି ମେଡିକାଲ ଅଫିସର ପଦ ରହିଛି । ଯେଉଁଥିରୁ ବିଭିନ୍ନ ମେଡିକାଲରେ ୮,୨୧୩ ଜଣ ମେଡିକାଲ ଅଫିସର କାର୍ଯ୍ୟ କରୁଛନ୍ତି । ଆହୁରି ୨,୫୬୧ଟି ପଦ ଖାଲି ପଡ଼ିଛି । ଏହି ପଦ ପୂରଣ ଲାଗି ଓଡ଼ିଶା ଲୋକସେବା ଆୟୋଗଙ୍କୁ ଚିଠି ଲେଖାଯାଇଛି । ଏଥିରୁ ଓପିଏସ୍‌ସି ୧୨୦୫ଜଣଙ୍କ ନାମ ନିଯୁକ୍ତି ପାଇଁ ସୁପାରିସ୍‌ କରିଛି । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦିଆଯିବ । କିନ୍ତୁ ରାଜ୍ୟରେ ଅଧିକ ସଂଖ୍ୟକ ଡାକ୍ତରଙ୍କର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଆଉ ନୂଆ ୫ ହଜାର ମେଡିକାଲ ଅଫିସର ପଦ ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏହି ସତ୍ୟପାଠ ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀ ଆଡଭୋକେଟ୍‌ ଚିତ୍ତରଂଜନ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ସତ୍ୟପାଠରେ ଆହୁରି ଦର୍ଶାଇଛି, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୪,୯୪୧ଟି ବହୁମୁଖି ସ୍ୱାସ୍ଥ୍ୟକର୍ମୀ ପଦ ରହିଛି । ଏଥିରୁ ୧୪୩୮ଟି ପଦ ଫାଙ୍କା ପଡ଼ିଛି । ଏହି ପଦ ପୂରଣ ପାଇଁ ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଟିକୁ ଅନୁରୋଧ କରାଯାଇଛି । ସେହିପରି ରାଜ୍ୟରେ ୧୨,୭୩୮ଟି ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀ ପଦରୁ ୫,୨୮୭ଟି ପଦ, ୩,୪୯୦ଟି ଫାର୍ମାସିଷ୍ଟ ପଦରୁ ୯୯୮ ଓ ୨୨୩୫ଟି ଲାବରୋଟୋରୀ ଟେକ୍ନିସିଆନ ପଦରୁ ୯୧୫ଟି ପଦ ଫାଙ୍କା ରହିଥିବା ସତ୍ୟପାଠରେ ସ୍ୱୀକାର କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟରେ ୨୮ ହଜାର ୨୮୫ଟି ନର୍ସିଂ ଅଫିସର ପଦ ରହିଥିଲାବେଳେ ସେଥିରୁ ପ୍ରାୟ ଅଧାଅଧି ୧୬ ହଜାର ୩୦୬ଟି ପଦ ଫାଙ୍କା ରହିଛି । ସେଥିମଧ୍ୟରୁ ୭ ହଜାର ୪୮୩ଟି ପଦ ପାଇଁ ଓଡ଼ିଶା ସବ୍‌ଅର୍ଡିନଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଟି ପକ୍ଷରୁ ପରୀକ୍ଷା କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

 

Leave A Reply

Your email address will not be published.