ଜଗନ୍ନାଥ ପ୍ରଧାନଙ୍କ ଚମକପ୍ରଦ ପଦକ୍ଷେପ, ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ

ଭୁବନେଶ୍ୱର, ୨୧/୮: ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ। ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ତେବେ ଏହାର ଘଣ୍ଟାକ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ଥିଲେ ଜଗନ୍ନାଥ। ତେବେ ସେ ଚଳିତ ନିର୍ବାଚନରେ ହାରିଯାଇଥିଲେ। ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ।

ହେଲେ ଆବଶ୍ୟକତା ପଡ଼ିଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ମମତା। ମଙ୍ଗଳବାର ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ମମତା ମହାନ୍ତ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ବହୁ ଲୋକ ରହିଛନ୍ତି। ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ପରଦିନ ସେ ବିଜେପିରେ ମିଶିଥିଲେ, ଏବେ ସେ ନାମାଙ୍କନ ଭରିଥିବାବେଳେ, ସେ ପୁଣିଥରେ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି।

 

Comments are closed.