ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ

କଂଗ୍ରେସ କହିଲା ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ, ୧୦/୮: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଗୃହରେ କ୍ରମାଗତ ଅଶୋଭନୀୟ ଆଚରଣର ତଦନ୍ତ ମାମଲା ଗୃହର ସ୍ବାଧିକାର କମିଟିକୁ ପଠାଇଦେଇଛନ୍ତି । କମିଟିର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି ।

ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପ୍ରସ୍ତାବ ଆଗତ କରି ସ୍ବାଧିକାର ଭଙ୍ଗ ଓ ତାଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିଲେ। ତାଙ୍କର ପ୍ରସ୍ତାବକୁ ବାଚସ୍ପତି ମାନିନେବା ସମୟରେ ଅଧୀର ରଂଜନ ଓ କଂଗ୍ରେସର ଅନ୍ୟ ସାଂସଦମାନେ ଗୃହରେ ଉପସ୍ଥିତ ନଥିଲେ । କାରଣ ସେମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ ।

ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନକୁ କଂଗ୍ରେସ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି କହିବା ସହ ଶୁକ୍ରବାର ଗୃହ ଚାଲିବାକୁ ଦେବ ନାହିଁ ବୋଲି କହିଛି। ଲୋକସଭାରେ କଂଗ୍ରେସ ଉପନେତା କେ. ସୁରେଶ ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନକୁ ଗଣତନ୍ତ୍ରର ହତ୍ୟା ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି।

 

Comments are closed.