ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇନି ଏଏସ୍ଆଇ

ଭୁବନେଶ୍ବର, ୯।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦେଇନି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)। ଆଜି ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନିକଟରେ ଏବେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି, ସେନେଇ ସତ୍ୟପାଠରେ କିଛି ବିସ୍ତୃତ ବିବରଣୀ ପ୍ରଦାନ କରିନି ଏଏସ୍‌ଆଇ। ତେଣୁ ହାଇକୋର୍ଟ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଦାଖଲ କରିବାକୁ ଏଏସ୍‌ଆଇକୁ କହିଛନ୍ତି। ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିରର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ତାରିଖରେ କରିବେ ବୋଲି କହିଛନ୍ତି।

ଶ୍ରୀମନ୍ଦିର ନିକଟରେ ଏବେ ଶୌଚାଳୟ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି। ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା। ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିନାହାନ୍ତି। ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହା ସବୁ ହେଉଛି ସୁପ୍ରିମ୍‌କୋର୍ଟଙ୍କ ଗାଇଡଲାଇନ୍ ଭିତରେ ହେଉଛି।

ଆଜି ଆବେଦନକାରୀ ଓ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ମାମଲାରେ ଜୋରଦାର ଯୁକ୍ତ ଉପସ୍ଥପାନ କରାଯାଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା ଯେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି।

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଏଏସ୍‌ଆଇ ଆଇନ ଅନୁସାରେ ବି ଏ ପ୍ରକାର ନିର୍ମାଣ ପାଇଁ ଅନୁମତି ଦେଇପାରିବନି। ତେଣୁ ଆଜି ସତ୍ୟପାଠ ଦାଖଲ କରି କହିଦେଲେ ଯେ ସେମାନେ କିଛି ଅନୁମତି ଦେଇ ନାହାନ୍ତି। ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ଏହା ବେଆଇନ। ଯଦି ଏଏସ୍‌ଆଇ ଅନୁମତି ଦେଇ ନଥିଲା, ତା’ହେଲେ ବେଆଇନ ନିର୍ମାଣ କାମ ଚାଲିଥିବା ବେଳେ କାହିଁକି ମାମଲା ରୁଜୁ କରି ନଥିଲା। ଆଇନ ଅନୁଯାୟୀ ଏଏସ୍‌ଆଇ ଏତଲା ଦେଇପାରିବ। କିନ୍ତୁ ତାହା ଏଏସ୍‌ଆଇ କରି ନଥିଲା। ସତ୍ୟପାଠ ଦାଖଲ କରି ଅନୁମତି ଦେଇ ନାହାନ୍ତି ବୋଲି କହିଲେ। କିନ୍ତୁ ଏହି ନିର୍ମାଣର ପ୍ରଭାବ ଶ୍ରୀମନ୍ଦିର ଉପରେ କ’ଣ ରହିବ, ତାହା କାହିଁକି ଜଣାଇଲେ ନାହିଁ। ସେମାନେ ତା’ର ରିପୋର୍ଟ ଦେଲା ବେଳକୁ ଏଠାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବ। ତେଣୁ ଜଣାପଡ଼ୁଛି ଏହିସବୁ ନିର୍ମାଣ କାର୍ଯ୍ୟର ପ୍ରଭାବ ମନ୍ଦିର ଉପରେ କ’ଣ ରହିବ, ତା’ର ରିପୋର୍ଟ କେମିତି ପ୍ରସ୍ତୁତ କରାଯିବ।

 

 

Comments are closed.