ଅସିତ ତ୍ରିପାଠୀ ହେଲେ ଭୁବନେଶ୍ବର କ୍ଲବ୍‌ର ସଭାପତି

ଭୁବନେଶ୍ବର, ୨୭।୯: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି। ଏହି ନିର୍ବାଚନରେ ଅସିତ୍‌ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିଲା। ଅନ୍ୟପକ୍ଷରେ ବିଜୟଙ୍କୁ  ୪୯୮ଟି ଭୋଟ୍‌ ମିଳିଥିଲା। ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଏହା ଏକ ୭୦ ବର୍ଷରୁ ଅଧିକ ସମୟର କ୍ଲବ୍‌। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହି କ୍ଲବ୍ ଗଠନ କରାଯାଇଥିଲା, ତା’ର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ। କ୍ଲବ୍ କହିଲେ କେବଳ ଏକ ବାର୍‌ କି ରେଷ୍ଟୁରାଣ୍ଟ ନୁହେଁ। ତାଙ୍କ ନୂଆ ଟିମ୍ କ୍ଲବ୍‌କୁ ଏକ ନୂଆ ଦିଗରେ ଆଗେଇ ନେବ।

ଭୁବନେଶ୍ୱର କ୍ଳବ୍ ୭୧ ବର୍ଷ ତଳେ ଗଠନ ହୋଇଥିଲା। ଏଥିରେ ଏବେ ରାଜନେତା, ଆଇଏଏସ୍‌ ଓ ଶିଳ୍ପପତିମାନେ ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ୍ ତ୍ରିପାଠୀ। ଏହା ପରେ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟପକ୍ଷରେ ଆଜି କଟକ କ୍ଲବ୍‌ର ମଧ୍ୟ ନିର୍ବାଚନ ହୋଇଛି। ଏଥିରେ ସଂଯୁକ୍ତା ମହାପାତ୍ର ସଭାପତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସତ୍ୟକୀ ଘୋଷ। ଜନ୍ମେଜୟ ମହାପାତ୍ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସତ୍ୟମୋହନ ରଥ ଯୁଗ୍ମ-ସଂପାଦକ ଓ କମଳ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.