ଅତିକ୍‌ ଅହମଦ ଓ ଅଶରଫ୍‌ ହତ୍ୟା ଅଭିଯୁକ୍ତଙ୍କୁ ଧମକ, ୩ ଜଣଙ୍କୁ ଅନ୍ୟ ଜେଲକୁ କରାଗଲା ସ୍ଥାନାନ୍ତର

0

ପ୍ରୟାଗରାଜ ୧୭/ ୦୪: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତା’ର ଭାଇ ଅଶରଫ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତ ଏବେ ୧୪ ଦିନିଆ ନ୍ୟାୟିଜ ହେପାଜତରେ ଅଛନ୍ତି । ସୁରକ୍ଷା କାରଣରୁ ୩ ଅଭିଯୁକ୍ତ ଲବଲେସ୍‌ ତିଓ୍ବାରୀ, ସନ୍ନି ସିଂହ ଏବଂ ଅରୁଣ ମୌର୍ଯ୍ୟକୁ ସୋମବାର ପ୍ରୟାଗରାଜ ସେଣ୍ଟ୍ରାଲ ଜେଲରୁ ପ୍ରତାପଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରତାପଗଡ ନିଆଯାଇଛି ।

ଅତିକ୍‌ ଓ ଅଶରଫକୁ ହତ୍ୟା କରିଥିବା ୩ ସୁଟରଙ୍କୁ ଆକ୍ରମଣ କରାଯିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଆଧାର କରି ପୋଲିସ ତତ୍ପରତା ପ୍ରକାଶ କରିବା ସହିତ ୩ ଜଣଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା । ହତ୍ୟାକାରୀଙ୍କୁ ଏବେ ଅନ୍ୟ କଏଦୀଙ୍କ ନିକଟରେ ରଖା ନଯାଇ ସ୍ବତନ୍ତ୍ର ସେଲରେ ରଖାଯାଇଛି ।

ଶନିବାର ପଚରାଉଚରା ବେଳେ ଅଭିଯୁକ୍ତ ମାନେ କହିଥିଲେ ଯେ, ‘ବଡ ଗ୍ୟାଙ୍ଗଷ୍ଟର ହେବା ପାଇଁ ଏବଂ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଅତିକ୍‌ ଅହମଦ ଓ ଅଶରଫକୁ ହତ୍ୟା କରିଛୁ’। ସୂଚନା ଯେ, ଅତିକ୍‌ ଓ ଅଶରଫକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଡା ସୁରକ୍ଷା ମଧ୍ୟରେ ପ୍ରୟାଗରାଜ ମେଡିକାଲ ନିଆଯାଉଥିବା ବେଳେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ୩ ଅଭିଯୁକ୍ତ ସନ୍ନି, ଲବଲେସ୍‌ ଓ ଅରୁଣ ଗଣମାଧ୍ୟମ ପ୍ରତିନିଧି ବେଶରେ ପହଞ୍ଚି ଅଚାନକ୍‌ ଗୁଳି ଚଳାଇଥିଲେ । ଅତିକ୍‌ ଶରୀରରେ ୪ଟି ଓ ଅଶରଫ୍ ଶରୀରରେ ୫ଟି ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

Leave A Reply

Your email address will not be published.