ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ: ଥଣ୍ଡା, ଜ୍ବର ହେଲେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ

ଭୁବନେଶ୍ଵର, ୨୨।୪ : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଦେଶରେ ସଂକ୍ରମଣ ବଢୁଛି। ତେଣୁ ରାଜ୍ୟରେ ବଢ଼ିବନି ବୋଲି କହିହେବ ନାହିଁ। ସତର୍କ ରହିବାକୁ ହେବ। ଆମ ରାଜ୍ୟରେ କିଭଳି ସଂକ୍ରମଣ ନ ବଢ଼ିବ ଓ ଯଦି ବଢ଼ିଲା କିଭଳି ଆୟତ୍ତ କରାଯିବ ତାହା ଉପରେ ଗୁରୁତ୍ଵ ଦିଆଯାଇଛି। ଆଜି ରାଜ୍ୟରେ ମାତ୍ର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସ୍ଥିତି ଭଲ ଅଛି।

ସେହିପରି ସ୍କୁଲ ପିଲାମାନଙ୍କର ଥଣ୍ଡା ଜ୍ଵର ପଡ଼ିବା ପ୍ରସଙ୍ଗରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଯଦି ପିଲାମାନଙ୍କର ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି ତେବେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ। ଯଦି ଆମେ ଜାଣିଜାଣି ଟେଷ୍ଟ ନକରିବା ତେବେ ତାହା ବିପଦକୁ ଡାକିବା ସହ ସମାନ। ଥଣ୍ଡା ଜ୍ଵରର ଅର୍ଥ କେବଳ କରୋନା ନୁହେଁ। ଅନ୍ୟ ଭାଇରାଲ୍ ଇନଫେକ୍ସନ ମଧ୍ୟ ଥଣ୍ଡା ଜ୍ଵର କରାଇଥାଏ।

ସେହିପରି ଭିତ୍ତିଭୂମି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି। ସରକାର ବାରମ୍ବାର କହୁଛନ୍ତି ଯେ, ଯଦି ଆବଶ୍ୟକ ପଡ଼ିବ ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ। ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମହଜୁଦ ଅଛି। କରୋନା ରୋକିବା ପାଇଁ ମାସ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭିଡ଼ଠୁ ଦୂରେଇ ରହିବା ଦରକାର। ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ। ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା। ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢ଼ିବା ପରେ ମାସ୍କ ବାଧ୍ୟତାମୂଳକ କରଯାଇଛି। ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି। ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ।

Comments are closed.