ପଞ୍ଜାବକୁ ଛାଡ଼ି ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଫୁଟିଲା ପଦ୍ମ

0

ନୂଆଦିଲ୍ଲୀ, ୧୦।୩: ଆସିଛି ୫ ରାଜ୍ୟର ଜନାଦେଶ।  ପଞ୍ଜାବକୁ ଛାଡ଼ି ଅବଶିଷ୍ଟ ୪ ରାଜ୍ୟ ହେଲା ଗେରୁଆମୟ। ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି। ଦରବୃଦ୍ଧି, ଚାଷୀ ଓ ବେକେରୀ ଭଳି ସମସ୍ୟା ବିଜେପି ବେକରେ କଣ୍ଟା ହୋଇ ଲାଗିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ବିଜେପିର ଗେମ ପ୍ଲାନ ବିରୋଧୀଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି।

ବିଜେପି ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ପୂର୍ଣ୍ଣବହୁତ ହାସଲ କରିଛି। ଏହାର ଅର୍ଥ ବିଜେପି ଏଠାରେ ପୁଣି ସରକାର ଗଠନ କରିବାକୁ ଯାଉଛି। ଏହି ସବୁ ରାଜ୍ୟରେ ବିଜେପି ୨.୦ ସରକାର ଆରମ୍ଭ ହେବାକୁ ଯାଇଛି। କେବଳ ପଞ୍ଜାବରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହିଁ। ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏକାକୀ ୧୧୭ ଆସନରୁ ୯୨ଟିରେ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ବାକି ୪ ରାଜ୍ୟ ବିଜେପି ରଙ୍ଗରେ ଗେରୁଆମୟ ହୋଇଛି।

ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଜେପି ଏବେ ସୁଦ୍ଧା ୧୦୯ଟିରେ ଜିତିଥିବା ବେଳେ ୧୬୦ଟିରେ ଆଗରେ ରହିଛି। ଏପରି ଟ୍ରେଣ୍ଡ ଜାରି ରହିଲେ ବିଜେପି ରାଜ୍ୟରେ ୨୬୯ଟି ଆସନ ଦଖଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ। ୨୦୧୭ରେ ଦଳ ଏଠାରେ ଏକାକୀ ୩୧୨ ଆସନରେ ବିଜୟୀ ହୋଇଥିଲେ। ସେହିପରି ବିଜେପି ମେଣ୍ଟ ସପକ୍ଷରେ ୩୨୨ ଆସନ ପଡ଼ିଥିଲା। ହେଲେ ବିଜେପି ମେଣ୍ଟର ଆସନ କିମିଛି। ତଥାପି ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୦୨କୁ ଅତି ସହଜରେ ହାସଲ କରିପାରିଛି।

ବିଜେପିକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଥିବା ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ୨୦୧୭ ଅପେକ୍ଷା ବଢ଼ିଛି। କିନ୍ତୁ ସରକାର ଗଠନ ପାଇଁ ଦଳ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହିଁ। ସପା ୩୨ଟିରେ ଜିତିଥିବା ବେଳେ ୯୮ରେ ଲିଡ କରୁଛି। ମାୟାବତୀଙ୍କ ବିଏସପି ଗୋଟିଏ ଆସନ ପାଇଛି। କଂଗ୍ରେସ ୨ଟି ଆସନରେ ସୀମିତ ରହିଛି। ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨ଟି ଆସନ ଯାଇଛି। ବିଜେପି ଉତ୍ତର ପ୍ରଦେଶରେ ସରକାର ଗଠନ କରିବାକୁ ଯାଉଥିବାରୁ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ।

ପଞ୍ଜାବରେ ଆପ୍‌ ତା’ର ଯାଦୁ ଦେଖାଇଛି। କଂଗ୍ରେସକୁ ମାତ୍ ଦେଇ ଆପ୍ ଦଖଲ କରିଛି କ୍ଷମତା। ୧୧୭ ବିଧାନସଭା ଆସନରୁ ଆପ୍ ୯୨ଟି ଜିତିଥିବା ବେଳେ କଂଗ୍ରେସ ୧୮ଟି, ବିଜେପି ମେଣ୍ଟ, ଅକାଳୀ ଦଳ ୪ଟି ଓ ଅନ୍ୟାନ୍ୟ ଦଳ ଖାତାକୁ ଗୋଟିଏ ଆସନ ଯାଇଛି। ଆପ୍ ଜିତିଥିବାରୁ ଭଗୱନ୍ତ ମାନ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ଗୋଆରେ ସରକାର ଗଠନ କରିବାକୁ କୌଣସି ରାଜନୀତିକ ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ରାଜ୍ୟର ୪୦ ବିଧାନସଭା ଆସନରୁ କ୍ଷମତାସୀନ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଛି। ହେଲେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ବିଜେପି ପଛକୁ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଆପ୍ ଓ ଟିଏମସି ୨ଟି ଲେଖାଏ ଆସନ ଦଖଲ କରିଛନ୍ତି।

ସେହିପରି ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଗୋଆରେ ପୁଣି ବିଜେପି ସରକାର ଗଠନ କରିବ। ହେଲେ ପ୍ରମୋଦ ସାୱନ୍ତ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନାହିଁ, ତା’ର ନିଷ୍ପତ୍ତି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ।

ଉତ୍ତରାଖଣ୍ଡରେ ବିଜେପିକୁ ସ୍ପଷ୍ଟ ବହୁତ ମିଳିଛି। ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୦ଟିରେ ଜିତି ସାରିଛି। ସେହିପରି ବାକି ୮ଟି ଆସନରେ ଲିଡ୍‌ କରୁଛି। ଲିଡର ମାତ୍ରା ଏତେ ଅଧିକ ଅଛି ଯେ ଏହି ୮ଟି ଯାକ ଆସନରେ ମଧ୍ୟ ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଏହାର ଅର୍ଥ ରାଜ୍ୟରେ ବିଜେପି ଏକାକୀ ୪୮ଟି ଆସନ ଦଖଲ କରିବ।

୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା। ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି। କଂଗ୍ରେସ ୧୫ଟି ଆସନ ଜିତିଥିବା ବେଳେ ଆଉ ୩ଟିରେ ଆଗରେ ରହିଛି। ଆପ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି। ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି। ଆପ୍‌ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଉତ୍ତରାଖଣ୍ଡରେ ଖାତା ନ ଖୋଲିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହେବା ରାଜ୍ୟ ତଥା କେନ୍ଦ୍ରୀୟ ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଏବେ ଉତ୍ତରାଖଣ୍ଡରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଟେନସନ ବଢ଼ିଛି। ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଏପରି କି ତାଙ୍କ ନେତୃତ୍ୱରେ ବିଜେପି ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ବି ଲଢ଼ିଥିଲା।

ମଣିପୁରରେ ମଧ୍ୟ ବୀରେନ ସିଂହ ପୁଣି ମୁଖ୍ୟମନ୍ତ୍ରୀ ହେବେ। ଏଠାରେ ବିଜେପି ସରକାର ଗଠନ କରିବା ଦିଗରେ ଆଗକୁ ବଢ଼ୁଛି। ରାଜ୍ୟର ୬୦ ଆସନରୁ ବିଜେପି ଇତି ମଧ୍ୟରେ ୨୪ଟିରେ ଜିତି ସାରିଥିବା ବେଳେ ବାକି ୮ଟିରେ ଲିଡ୍‌ କରୁଛି। ଏହାର ଅର୍ଥ ବିଜେପି ମଣିପୁରରେ ୩୨ଟି ଆସନ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି।

ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। କଂଗ୍ରେସ ମାତ୍ର ୪ଟି ଆସନ ଜିତିଥିବା ବେଳେ ନ୍ୟାଶନାଲ ପିପୁଲ୍ସ ପାର୍ଟି ଓ ନାଗା ପିପୁଲ୍ସ ପ୍ରଣ୍ଡ ମିଳିତ ଭାବେ ୨୧ଟି ଆସନ ଜିତିଛନ୍ତି ଏବଂ ବାକି ୩ଟିରେ ‌ଆଗରେ ରହିଛନ୍ତି।

 

 

Leave A Reply

Your email address will not be published.