ଏ ବର୍ଷ ହେବନି ବାଲିଯାତ୍ରା

କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

0

ଭୁବନେଶ୍ବର,୩୦/୧୦: ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀର ପ୍ରକୋପ ଜାରି ରହିଥିବାରୁ କଟକ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏହା ସହ ସମସ୍ତ ପ୍ରକାର ସାମୂହିକ ବୋଇତ ବନ୍ଦାଣ ଉତ୍ସବରେ ମଧ୍ୟ ପ୍ରଶାସନ ରୋକ୍ ଲଗାଇଛି। ସେହିପରି କଟକର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ବରରେ ମଧ୍ୟ ବଡ଼ ଓଷା ହୋଇପାରିବ ନାହିଁ। କରୋନା ପାଇଁ ମନ୍ଦିର ବନ୍ଦ ଥିବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯିବା ପାଇଁ ପ୍ରଶାସନ ବାରଣ କରିଛି। କଟକ ଜିଲ୍ଲାପାଳ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କଟକର ବାଲିଯାତ୍ରା ଏକ ବହୁ ପ୍ରତୀକ୍ଷିତ ପର୍ବ। ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହା ଆୟୋଜନ କରାଯାଏ। ଏହି ଯାତ୍ରା ଓଡ଼ିଶାର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ସହ କିଣାବିକାର ଏକ ବିଶାଳ ସୁଯୋଗ ସୃଷ୍ଟି କରିଥ‌ାଏ। କେବଳ କଟକ ନୁହେଁ, ପାଖାପାଖି ବହୁ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଲୋକ ବାଲିଯାତ୍ରାକୁ ଯାଇ କିଣାକିଣି କରନ୍ତି। ରାଜ୍ୟ ଭିତରୁ ଓ ବାହାରୁ ମଧ୍ୟ ବହୁ ବ୍ୟବସାୟୀ ଏଠାରେ ପସରା ମେଲାନ୍ତି। ଏହି ସହ ପ୍ରତିଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବାଲିଯାତ୍ରାର ଗାରିମା ଆହୁରି ବଢ଼ାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ବାଲିଯାତ୍ରା ବନ୍ଦ ନିଷ୍ପତ୍ତି ଲୋକଙ୍କୁ ନିରାଶ କରିଛି।

ସୂଚନା‌ଯୋଗ୍ୟ ଯେ ଗତ ବର୍ଷ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ବାଲିଯାତ୍ରାକୁ ରାଜ୍ୟ ଉତ୍ସବର ମାନ୍ୟତା ଦେଇଥିଲା। ଏହାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା।

Leave A Reply

Your email address will not be published.