ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି : ମନ୍ତ୍ରୀ

0

ଭୁବନେଶ୍ବର,୩୦/୧୦: କରୋନା ପାଇଁ ଦୀର୍ଘ ଦିନ ହେଲା ରାଜ୍ୟରେ ସ୍କୁଲ୍‌ ବନ୍ଦ ରହିଛି। କେବେ ଖୋଲିବ, ସେ ନେଇ ସରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି। କିଛି ରାଜ୍ୟରେ ନବମ ଶ୍ରେଣୀ ଉପରକୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌ ଖୋଲିବାକୁ ସରକାର ଅନୁମତି ଦେଲେଣି। କିନ୍ତୁ ଓଡ଼ିଶାରେ ସବୁ ଜିଲ୍ଲାରେ କରୋନାର ପ୍ରକୋପ ରହିଥିବାରୁ ସରକାର ସ୍କୁଲ୍‌ ଖୋଲିବାକୁ ଏ ଯାଏ ଅନୁମତି ଦେଇ ନାହାନ୍ତି। ଆସନ୍ତାକାଲି ଅର୍ଥାତ ୩୧ ତାରିଖରେ ନଭେମ୍ବର ମାସ ପାଇଁ ଅନ୍‌ଲକ୍ ଗାଇଡ୍‌ଲାଇନ୍ ଜାରି ହେବ। ତେଣୁ ନଭେମ୍ବରରୁ ସ୍କୁଲ୍‌ ଖୋଲିବ କି ନାହିଁ, ତାହା ଜଣାପଡ଼ିବ।

ତେବେ ଦୀପାବଳି ପରେ ସ୍କୁଲ୍‌ ଖୋଲିବା ପାଇଁ ଚର୍ଚ୍ଚା ଜୋର୍‌ ଧରିଥିଲା। ସରକାର ଏ ଦିଗରେ ବିଚାର, ବିମର୍ଷ ଆରମ୍ଭ କରିଛନ୍ତି ବୋଲି କୁହାଯାଇଥିଲା। ତେବେ ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି ନିଜେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ୍‌ ଖୋଲିବା ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସ୍କୁଲ୍‌ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ। ତେବେ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାହା କାର୍ଯ୍ୟକାରୀ କରାଯିବ।

Leave A Reply

Your email address will not be published.