ପୁରୀ ଯାଇପାରିବେନି ହବିଷ୍ୟାଳି

ପୁରୀର ବ୍ରତଧାରୀଙ୍କୁ ମିଳିବ ମହାପ୍ରସାଦ

ଭୁବନେଶ୍ବର,୩୦/୧୦: ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେଉଛି କବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆମ ପରମ୍ପରା ଅନୁଯାୟୀ ମହିଳାମାନେ ଏକ ମାସ ଧରି ନିଷ୍ଠାପର ସହ ଏହି ବ୍ରତ ପାଳନ କରନ୍ତି। ବିଶେଷ କରି ପୁରୀରେ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିଙ୍କ ସର୍ବାଧିକ ଗହଳି ହୁଏ। କିନ୍ତୁ ଏଥର କରୋନା ମହାମାରୀ ପାଇଁ ଏକ ଅଭାବନୀୟ ଘଟଣା ଘଟିବାକୁ ଯାଉଛି। ହବିଷ୍ୟାଳିମାନଙ୍କୁ ପୁରୀ ଯିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି। ଯେହେତୁ ମନ୍ଦିର ବନ୍ଦ ରହିଛି, ତେଣୁ ପୁରୀ ନ ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ କୁହାଯାଇଛି। ସେମାନେ ନିଜ ନିଜ ଘରେ ରହିବ କାର୍ତ୍ତିକ ବ୍ରତ ପାଳନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ତେବେ ପୁରୀରେ ସ୍ଥାନୀୟ ହିବଷ୍ୟାଳିମାନଙ୍କୁ ମହାପ୍ରସାଦ ଯୋଗାଇ ଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତକାଲି ମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ପକ୍ଷରୁ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ବାରରେ ମହାପ୍ରସାଦ ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ହଜାର ହଜାର କାର୍ତ୍ତିକ ବ୍ରତଧାରୀ ପୁରୀ ଆସି ମାସେ ବ୍ୟାପୀ ରୁହନ୍ତି। ସେମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାପାଠ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ରାଧା ‌ଦାମୋଦର ବେଶରେ ପୂଜା କରନ୍ତି। ସରକାରଙ୍କ ତରଫରୁ ମଧ୍ୟ ପ୍ରତି ବର୍ଷ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ରହିବା, ପୋଷାକ, ମହାପ୍ରସାଦ ଆଦିର ବ୍ୟବସ୍ଥା କରାଯାଏ।

Comments are closed.