ଦଶହରା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା ବିଏମ୍‌ସି

ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି, ୭ ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ

0

ଭୁବନେଶ୍ବର, ୨୩।୯: ଦଶହରା ପୂଜାକୁ ନିରାଡ଼ମ୍ବର ଭାବେ ପାଳନ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆଜି ଗାଇଡ୍‌ଲାଇନ୍‌ ଜାରି ହୋଇଛି। ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ସହ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏହାସହିତ ମେଢ଼ ବିସର୍ଜନ ପାଇଁ ଭସାଣୀ ଶୋଭାଯାତ୍ରା ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ପୂଜା ମଣ୍ଡପରେ ଏକାସଙ୍ଗେ ୭ ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବିଏମ୍‌ସି କମିସନରଙ୍କ ଦ୍ୱାରା ଆଜି ଜାରି ଦଶହରା ପୂଜା ପାଳନ ନିମନ୍ତେ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଅଗଷ୍ଟ ୩୧ ତାରିଖରେ ଜାରି ଗାଇଡ୍‌ଲାଇନ ଅନୁସାରେ ବିଏମସି ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ବିଏମ୍‌ସି ଅଂଚଳରେ ଦୁର୍ଗା ପୂଜା ପାଳନ ନିମନ୍ତେ ଲୋକଙ୍କ ଏକଜୁଟ ପାଇଁ ଅନୁମତି ମିଳିବ ନାହିଁ। ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିସନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ।

ପୂଜା ବେଶି ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ। ଏହି ପୂଜା ମଣ୍ଡପରେ ତିନିପଟ ବନ୍ଦ ରଖାଯିବ ଓ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ। ତେବେ ଏହି ଚତୁର୍ଥ ପଟକୁ ମଧ୍ୟ ଠିକ୍ ଭାବେ ଢାଙ୍କିବାକୁ ପଡ଼ିବ, ଯାହାଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ ରହିବ। ମୂର୍ତ୍ତି ବିସର୍ଜନ ପାଇଁ ଆୟୋଜକମାନେ ଭସାଣୀ କରିପାରିବେ ନାହିଁ। ବିସର୍ଜନ ପାଇଁ ବିଏମସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ। ବିସର୍ଜନ ବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମସି କମିସନର ପରାମର୍ଶ ଦେଇଛନ୍ତି। ଏହାସହିତ ଯେଉଁମାନେ ବିସର୍ଜନରେ ସାମିଲ ହେବେ, ସେମାନେ କରୋନା ଟିକାର ଦୁଇ ଡୋଜ୍ ନେଇଥିବାକୁ ପୂଜା କମିଟି ସୁନିଶ୍ଚିତ କରାଇବେ। ପୂଜା କମିଟି ନିଜର ସମସ୍ତ ସଦସ୍ୟଙ୍କୁ କୋଭିଡ୍ ଟିକାର ସାର୍ଟିଫିକେଟ ପାଖରେ ସବୁବେଳେ ରଖିବା ଓ ଯାଞ୍ଚ ବେଳେ ଦେଖାଇବା ନିମନ୍ତେ ଅବଗତ କରାଇବେ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.