ମୋଦୀ ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍

0

ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦୀ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ-ବିବିଧତାର ପ୍ରାୟ 7 ରୁ 8 ପ୍ରତିଶତ ଅଟେ ।

ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି ।

ଭାରତ ସରକାରଙ୍କ ବାଘ ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା କରି କୃତିତ୍ୱ ହାସଲ କରିପାରିଛି । ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ୍ ମଧ୍ୟରୁ ଅନ୍ୟତମ । ଶିମିଳିପାଳ ଅଭୟାରଣ୍ୟ, ଗନ୍ଧମାର୍ଦ୍ଦନ ପର୍ବତ, ଚିଲିକା, ଭିତରକନିକା ଏବଂ ଦେଓମାଳ ପର୍ବତରେ 2700ରୁ ଅଧିକ ପ୍ରଜାତିର ପ୍ରାଣୀ ବାସ କରନ୍ତି । ସେ କହିଛନ୍ତି ନଦୀକୂଳ ଅଞ୍ଚଳର ଇକୋସିଷ୍ଟମ ବା ପରିସଂସ୍ଥାନ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲଫିନ୍ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନଃଉଦ୍ଧାର କରିବା ସହ ଓଡ଼ିଶାର ଇରାୱାଡ଼ି ଡଲଫିନ ଏବଂ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ ।

ଉତ୍ସର୍ଗୀକୃତ ବୃକ୍ଷରୋପଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦ୍ରୁତ ଗତିରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ପାଇଛି । ଓଡ଼ିଶାରେ ସବୁଜବଳୟକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଅଭୁତପୂର୍ବ ସମର୍ଥନ ଦେଇଛନ୍ତି  । ଗତ ଥର କାମ୍ପା ପାଣ୍ଠି ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ 5933.98 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସଂରକ୍ଷଣ, ସ୍ଥାୟୀ ଜୀବନଶୈଳି, ସବୁଜ ଅର୍ଥନୀତି ମଡ଼େଲ୍ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ କ୍ରିୟାରେ କୃତିତ୍ୱ ହାସଲ କରିଛି । ପରିବେଶକୁ କ୍ଷତି ନପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର ବିଶ୍ୱାସ କରନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି  ।

Leave A Reply

Your email address will not be published.