ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ସିବିଆଇ ଚଢ଼ାଉ

ଭୁବନେଶ୍ବର, ୪।୮: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍‌। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଧିକାରିକ ଭାବେ କିଛି ଘୋଷଣା ହୋଇ ନ ଥିବା ବେଳେ  ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡସ୍ଥିତ ଓଏସଖଏଲ୍‌ ଅଫିସରେ ୨ଟି ଟିମ୍‌ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି। ସେହିପରି ପାରାଦୀପର ବଡ଼ପଡ଼ିଆସ୍ଥିତ ଓଏସଖଏଲ୍‌ ଅଫିସ୍‌ ସମେତ ୪ଟି ସ୍ଥାନରେ ଚଢାଉ ଚାଲିଛି।

ପାରାଦୀପର ଏକ ଗେଷ୍ଟ ହାଉସ୍‌ରେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟକ ସରୋଜ ଦାସଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ୍‌। ତାଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରୁଛି । ଉଭୟଙ୍କ ନିକଟରୁ ସିବିଆଇ ଅଧିକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାଯାଇଛି।

ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୁଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ୨୦୧୬ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

Comments are closed.