ବଢ଼ୁଛି କରୋନା ସଂକ୍ରମଣ: ଓଡ଼ିଶା ସମେତ ୮ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

0

ନୂଆଦିଲ୍ଲୀ, ୬।୩: ଦେଶରେ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଓଡ଼ିଶା ମଧ୍ୟ ରହିଛି। କେନ୍ଦ୍ର ସରକାର ଓଡ଼ିଶା ସମେତ ହରିଆଣା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ଓ ଦିଲ୍ଲୀ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ଦେଇ ସରକାର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ସହ କଣ୍ଟାକ୍ଟ ଟ୍ରେସିଂ ଓ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରିବାକୁ କହିଛନ୍ତି। ଯେଉଁ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି, ସେଠାରେ ଟ୍ରପିଲ ଟି-ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଏହି ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୩ଟି ଜିଲ୍ଲାର ସ୍ଥିତି ଚିନ୍ତା ବଢ଼ାଇଛି। କାରଣ ଏହି ଜିଲ୍ଲା ଗୁଡ଼ିକରେ ଟେଷ୍ଟିଂ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଉଛି। ଏହି ସବୁ ସ୍ଥାନରେ ଦିନକୁ ଦିନ ଆରଟି-ପିସିଆର ଟେଷ୍ଟ ସଂଖ୍ୟା କମୁଛି, ସାପ୍ତାହିକ ପଜିଟିଭ ସଂଖ୍ୟା ବଢ଼ୁଛି ଓ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଠିକ ଭାବେ କରାଯାଉ ନାହିଁ। ଫଳରେ ଏଠାରୁ ସଂକ୍ରମଣ ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ସୃଷ୍ଟି କରିଛି।

ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ତାଲିକାରେ ଦିଲ୍ଲୀର ୯ଟି, ହରିଆଣାର ୧୫, ଆନ୍ଧ୍ର ପ୍ରଦେଶରେ ୧୦, ଓଡ଼ିଶାରେ ୧୦, ହିମାଚଳ ପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୯, ଗୋଆର ୨ ଓ ଚଣ୍ଡିଗଡ଼ର ୧ଟି ଜିଲ୍ଲା ରହିଛି। ସରକାର ଆହୁରି କହିଛନ୍ତି, କରୋନାରେ ଆକ୍ରାନ୍ତ ହେଉଥିବା ଜଣେ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ବେଳେ ଅତି କମ୍‌ରେ ୨୦ ଜଣଙ୍କୁ ଚିହ୍ନଟ କରାଯାଉ। ସେହିପରି ସୁପର ସ୍ପ୍ରେଡରଙ୍କ ଉପରେ ନଜର ରଖିବାକୁ ମଧ୍ୟ ଏହି ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଧ୍ୟାନ ଦେବା ଉଚିତ।

Leave A Reply

Your email address will not be published.