୨୨ରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦାଗସ୍ତ

0

ଭୁବନେଶ୍ବର, ୧୬।୧୦: ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ନିଜ ସଂଗଠନକୁ କ୍ରିୟାଶୀଳ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲାଗସ୍ତ ଆରମ୍ଭ କରିବେ। ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ ପ୍ରାୟ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଡେରା ପକାଇ ଦଳୀୟ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖାଇବା ସହ ଏହି କାର୍ଡ ବଣ୍ଟନ କରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଜିଲ୍ଲାର ସମସ୍ତ ପୌରାଂଚଳ ଓ ଏନ୍‌ଏସିରେ ମଧ୍ୟ ବିଜେଡି ନିଜର ନେତାମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ପ୍ରାୟ ୧୮ ଜଣ ମନ୍ତ୍ରୀ,୩୦ରୁ ଅଧିକ ବିଧାୟକ ଓ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ବୋର୍ଡ ଅଧ୍ୟକ୍ଷ, ସରକାରଙ୍କ ପରାମର୍ଶଦାତା ଆଦି ମୋଟ ପ୍ରାୟ ୧୦୦ରୁ ଅଧିକ ବିଜେଡି ନେତାମାନଙ୍କୁ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ କରିବ ବୋଲି ଜଣାପଡ଼ିଛି । ଏହି ନେତାମାନଙ୍କୁ ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ଆବଣ୍ଟିତ ବ୍ଲକ ଓ ପୌରାଂଚଳରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.