ସ୍କୁଲରେ ବଢ଼ୁଛି କରୋନା ସଂକ୍ରମଣ: ମନ୍ତ୍ରୀ କହିଲେ ସ୍ଥିତି ନିୟନ୍ତ୍ରଣାଧୀନ

0

ଭବନେଶ୍ବର, ୧୫।୧: ଦୀର୍ଘ ୧୦ ମାସ ପରେ ଖୋଲିଛି  ସ୍କୁଲ। ତେବେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଗାଇଡ ଲାଇନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି। କିନ୍ତୁ ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ଦେଖା ଦେଇଛି। ଝାରସୁଗୁଡ଼ା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଯାଇଛି। ତେବେ ସରକାରଙ୍କ ଗାଇଡଲାଇନ୍ ଓ ସତର୍କତା ସତ୍ତ୍ୱେ ସଂକ୍ରମଣ କିପରି ବ୍ୟାପିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଝାରସୁଗୁଡ଼ା ଲଇକେରା ବ୍ଲକର ୨୦ ଜଣ ଛାତ୍ରଛାତ୍ରୀ ପଜିଟିଭି ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହୋଇଛି ନା ନାହିଁ ତାକୁ ନେଇ ଆଶଙ୍କା ବଢିଛି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଗତ ୭ ଦିନ ଭିତରେ ୨୬ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହ ସ୍କୁଲ୍ ଖୋଲିବା ପରଠାରୁ ସ୍କୁଲରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଛୁଇଁଲାଣି। ଏହାସତ୍ତ୍ୱେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଯେଭଳି ବ୍ୟାହତ ନହେବ ସେଥିଲାଗି ପଦକ୍ଷେପ ନିଆଯାଉଛି। ଶିକ୍ଷକ ପଜିଟିଭି ଚିହ୍ନଟ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି। ସେହିପରି ସାମାଜିକ ଦୂରତ୍ୱ ଓ ଅନ୍ୟ କରୋନା ଗାଇଡଲାଇନ ପାଳନକୁ କଡାକଡ଼ି କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି।

ଏ ନେଇ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ଆମେ ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନର ପୂରା ପାଳନ କରୁଛୁ। ପ୍ରଥମେ ପିଲାଙ୍କୁ ସାନିଟାଇଜ କରି କ୍ଲାସକୁ ଛଡ଼ାଯାଉଛି। କ୍ଲାସ୍ ଭିତରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। କ୍ଲାସ୍ ରୁମରେ ମଧ୍ୟ ସାନିଟାଇଜର ରଖାଯାଉଛି। ଖାଇବା ଛୁଟିରେ ଯେପରି ଭିଡ଼ ହେବ, ସେଥିଲାଗି ଶିକ୍ଷକ ଶିକ୍ଷୟିତ୍ରୀ କଡ଼ା ନଜର ରଖୁଛନ୍ତି। ଏସବୁ ସତ୍ତ୍ୱେ କିଭଳି ଭୂତାଣୁ ସଂକ୍ରମଣ ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।

ସ୍କୁଲରେ ସଂକ୍ରମଣ ବ୍ୟାପିବା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଅନ୍ୟପକ୍ଷରେ କୋଭିଡ ଗାଇଡଲାଇନ୍ ପାଳନ ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ବୋଲି ମତ ଦେଇଛନ୍ତି ଡିଏମଇଟି। ଟିକାକରଣ ପରେ ସଂକ୍ରମଣ ଯଥେଷ୍ଟ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.