ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‌ ବିପିନ ରାୱତ

0

ନୂଆଦିଲ୍ଲୀ, ୧୦।୧୨: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର କ୍ରାସରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଭାରତର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କର ଶୁକ୍ରବାର ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର କରାଯାଇଛି। ପିତା ଜେନେରାଲ୍ ରାୱତ ଓ ମା’ ମଧୁଲିକାଙ୍କୁ ମୁଖାଗ୍ନି ଦେଇଛନ୍ତି ଦୁଇ ଝିଅ କ୍ରିତିକା ଓ ତାରିଣୀ। ଶେଷ ସମ୍ମାନସ୍ୱରୂପ ଜେନେରାଲ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହାପୂର୍ବରୁ ଶୁକ୍ରବାର ସକାଳ ୧୧ ଟାରୁ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଅନ୍ତିମ ଦର୍ଶନ ପାଇଁ ସେମାନଙ୍କ ପରିବାର, ବନ୍ଧୁ ଓ ଜନସାଧାରଣଙ୍କ ପାଇଁ ଦିଲ୍ଲୀସ୍ଥିତ ବାସଭବନରେ ରଖାଯାଇଥିଲା। ପରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମୃତଦେହକୁ ଏକ ବିରାଟ ଶୋଭାଯାତ୍ରାରେ ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟକୁ ଅଣାଯାଇଥିଲା। ତାଙ୍କ ଶେଷ ଯାତ୍ରାରେ ୮୦୦ ସେନା କର୍ମଚାରୀ ଉପସ୍ଥିତ ରହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ଶୀର୍ଷ ସେନା ଅଧିକାରୀନେ ପାଲମ ବିମାନ ବନ୍ଦରରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳ ସେନା ମୁଖ୍ୟ ଏମ୍‌ ନାରାୱଣେ, ନୌସେନା ମୁଖ୍ୟ ଆଡମିରାଲ୍‌ ଆର୍ ହରି କୁମାର, ବାୟୁସେନା ମୁଖ୍ୟ ମାର୍ଶଲ ଏଭିଆର୍ ଚୌଧୁରୀ ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମ୍‌ଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.