ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ’: ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଦର୍ଶିତ ହେବ

0

ଭୁବନେଶ୍ୱର,୧୨।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ତଥା ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ‘ଡାକୋଟା’ ବିମାନ ଖୁବ୍‌ଶୀଘ୍ର ଓଡ଼ିଶା ଆସିବ। କୋଲକାତା ବିମାନବନ୍ଦରରେ ବର୍ଷ ବର୍ଷ ହେଲା ପଡ଼ିରହିଥିବା ଏହି ବିମାନକୁ ଓଡ଼ିଶା ସରକାର ଭୁବନେଶ୍ୱର ବିମାନବନ୍ଦରକୁ ଆଣିବେ। ଏଥିପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏବେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଟେକ୍ନୋକମର୍ସିଆଲ ପରଚେଜ୍‌ କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ (ସେଣ୍ଟ୍ରାଲ ସର୍କଲ) ପୂର୍ତ୍ତ ବିଭାଗ ପକ୍ଷରୁ କମିଟିକୁ ପ୍ରତିନିଧିତ୍ୱ କରିବେ। ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।

କୋଲକାତା ବିମାନବନ୍ଦରରୁ ବିମାନକୁ ସିଧାସଳଖ ଆଣିବା ସମ୍ଭବ ନୁହେଁ। ତେଣୁ ବିମାନ ପାର୍ଟସ୍‌କୁ ଖୋଲି ଏହାକୁ ଅଣାଯିବ। ପରେ ବିମାନର ନଷ୍ଟ ହୋଇଥିବା ଅଂଶକୁ ରଙ୍ଗ ଦିଆଯିବ। ଯେଉଁଠି ଦରକାର ପଡ଼ିବ ନୂଆ ପାର୍ଟସ ମଧ୍ୟ ଲାଗିବ। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ଅବ୍ୟବହୃତ ଅବସ୍ଥାରେ ଦୀର୍ଘ ବର୍ଷ ହେବ କୋଲକାତା ବିମାନବନ୍ଦରରେ ପଡ଼ି ପଡ଼ି ଡାକୋଟା ବିମାନର କେତେକ ପାର୍ଟସ ଓ ମିଟର ଭାଙ୍ଗି ନଷ୍ଟ ହୋଇପଡ଼ିଛି।

କୋଲକାତାରୁ ବିମାନର ସବୁ ପାର୍ଟସ୍‌ ଖୋଲା ହୋଇ ଭୁବନେଶ୍ୱରରେ ପହଞ୍ଚିବା ପରେ ଏଠାରେ ଏହାକୁ ପୁନଃ ସଂଯୋଗ କରାଯିବ। ଏହା ବିଜୁ ପଟ୍ଟନାୟକ ବିମାନବନ୍ଦରର ଶୋଭାବର୍ଦ୍ଧନ କରିବ। ବିମାନବନ୍ଦରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଏହାକୁ ପ୍ରଦର୍ଶନ କରାଯିବା ନେଇ ବିଚାର କରାଯାଉଛି। ଏମିତି ହେଲେ ସାରା ବିଶ୍ୱ ଡାକୋଟାକୁ ଦେଖି ବିଜୁଙ୍କ ବୀରତ୍ୱ କାହାଣୀକୁ ମନେ ପକାଇବ ।

ସୂଚନାଯୋଗ୍ୟ, ବିଜୁ ବାବୁ କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୪ଟି ବିମାନ ଥିଲା। ଏଥିମଧ୍ୟରୁ ଡାକୋଟା ଥିଲା ତାଙ୍କର ସବୁଠୁ ପ୍ରିୟ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶତ୍ରୁପକ୍ଷର ଛାତି ଚିରି ନିଜର ପରାକାଷ୍ଠା ଦେଖାଇଥିଲା ଡାକୋଟା।

ମାତ୍ର ପରବର୍ତ୍ତୀ ସମୟରେ ଡାକୋଟା ବିମାନର କିଛି ଖବର ନଥିଲା। କିଛି ବର୍ଷ ତଳେ ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଗଠନ ହୋଇଥିବା କମିଟିରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଅତିରିକ୍ତ/ଯୁଗ୍ମ ସଚିବ ବାଣିଜ୍ୟ ଓ ପରିବହନ (ପରିବହନ), ସାଧାରଣ ପ୍ରଶାସନ, ପୂର୍ତ୍ତ, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,  ଡାଇରେକ୍ଟର ଏଭିଏସନ୍‌, ବିଏମ୍‌ସି ଓ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ସଦସ୍ୟ ରହିଛନ୍ତି ।

 

Leave A Reply

Your email address will not be published.