ଟ୍ରେଣ୍ଡରେ ବିପଜ୍ଜନକ ରିଲ୍‌ସ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ଵର, ୧୫/୦୩ : ସୋସିଆଲ୍‌ ମିଡିଆରୁ ମାଳମାଳ ରିଲ୍‌ସ ମିଳିଯିବ, ଯେଉଁଥିରେ ଅନେକ ବିପଜ୍ଜନକ ବାଇକ୍‌ ଷ୍ଟଣ୍ଡ ଦେଖାଉଛନ୍ତି । ପାହାଡ଼ ଶିଖରରେ ଚଢ଼ି ଭିଡିଓ ବନାଉଛନ୍ତି । ନଚେତ୍‌, ରିଲ୍‌ସ ପାଇଁ ପଶୁପକ୍ଷୀଙ୍କୁ ହଇରାଣ କରୁଛନ୍ତି । ଅଥବା ଜୀବନରୁ ମାରି ଦେଉଛନ୍ତି । ଏଭଳି ବିପଜ୍ଜନକ ରିଲସ୍‌ ବନାଇବା ବର୍ତ୍ତମାନ ଅନେକଙ୍କ ସଉକ ପାଲଟିଛି । ୨ ଦିନ ତଳେ ଏୟାରଫିଲ୍ଡ ଅଞ୍ଚଳରେ ଏକ ଜନ୍ମଦିନ ପାଳନ ରିଲ୍‌ସ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କିଛି ଯୁବକ ଖଣ୍ଡାରେ କେକ୍‌ କାଟୁଥିଲେ । ଗତବର୍ଷ ନଭେମ୍ବରରେ ନୂଆପଲ୍ଲୀରେ ମଧ୍ୟ ଏକ ଯୁବଗୋଷ୍ଠୀ କାର୍‌ ଉପରେ କେକ୍‌ ରଖି ଖଣ୍ଡାରେ କେକ୍‌ କାଟିବାରୁ ୫ଜଣ ଗିରଫ ହୋଇଥିଲେ । ଗତ ମାସରେ ସହିଦନଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଥିଲା । ଅଭିଯୋଗ ଥିଲା କି, ସେମାନେ ସହିଦନଗର ସେନ୍ସୋରି ପାର୍କ ସାମ୍ନା ରାସ୍ତାରେ ବାଇକ୍‌ ଷ୍ଟଣ୍ଟର ଭିଡିଓ ବନାଇ ରିଲ୍‌ସ କରୁଥିଲେ । ଏକ ଘରୋଇ ସ୍କୁଲ ବସ୍‌ (ଓଡି୩୩ଇ୯୯୫୯) ଉକ୍ତ ଭିଡିଓ ମଝିରେ ଚାଲି ଆସିବାରୁ ଯୁବଗୋଷ୍ଠୀ ଉତ୍ପାତ କରିଥିଲେ । ବସ୍‌ ଚାଳକଙ୍କୁ ପିଟିବା ସହ କୁନି ପିଲାଙ୍କୁ ଧମକଚମକ ଦେଇଥିଲେ ।

ଓଡି଼ଶା ପୁଲିସ ଭଳି ରିଲ୍‌ସ ସତର୍କତା ଜାରି କରିଛି କମିଶନରେଟ୍‌ ପୁଲିସ୍‌ । ସୋସିଆଲ ମିଡିଆ ଆକାଉଣ୍ଟରେ ପରାମର୍ଶ ବାର୍ତ୍ତା ଯୋଗେ ସଚେତନ କରାଇଛି । ଏଭଳି ଉତ୍ପାତିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଛି ପୁଲିସ । ଡିସିପି ପ୍ରତୀକ ସିଂ କହିଛନ୍ତି, ଏବେ ସାମାଜିକ ଗଣମାଧ୍ୟମରେ ‘ରିଲ୍‌ସ’ର ଟ୍ରେଣ୍ଡ ଚାଲିଛି । ଖାଲି ଯୁବପିଢ଼ି ନୁହେଁ, ପ୍ରାୟ ସମସ୍ତ ବର୍ଗର ଲୋକ ମୋବାଇଲ୍‌ରେ ଭଳିକି ଭଳି ଭିଡିଓ କରୁଛନ୍ତି । ରିଲ୍‌ସ ଭିଡିଓରେ ଅଧିକ ଲାଇକ୍‌ ଓ କମେଣ୍ଟ ପାଇଁ କିଛି ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି । ଦ୍ରୁତଗତିରେ ଗାଡି଼ ଚଳାଇ, ବାଇକ୍‌ ଷ୍ଟଣ୍ଡ ଦେଖାଇ ଭିଡିଓ ବନାଉଛନ୍ତି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଆଖପାଖ ଲୋକମାନେ ମଧ୍ୟ ବିପଦରେ ପଡୁଛନ୍ତି ।

ଶ୍ରୀ ସିଂ ଆହୁରି କହିଛନ୍ତି, ପ୍ରତି ନାଗରିକର ସାମାଜିକ ଦାୟିତ୍ୱବୋଧ ରହିଛି । ରିଲସ୍‌ କରିବା ବେଳେ ପରିବେଶକୁ ନଜର ରଖିବା କଥା । ରିଲ୍‌ସ ଯୋଗୁଁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ପଶୁପକ୍ଷୀଙ୍କ କ୍ଷତି ନ ଘଟିବ, ଏଥିପ୍ରତି ଧ୍ୟାନ ଦିଅନ୍ତୁ । ରେଳଧାରଣା, ପାହାଡ଼ ଓ ଗଭୀର ପାଣି, ଘାଟି ଭଳି ବିପଦପୂର୍ଣ୍ଣ ଜାଗାରେ ଛିଡ଼ା ହୋଇ ରିଲସ୍‌ କରିବାରୁ ନିବୃତ୍ତ ରୁହନ୍ତୁ । କମିଶନରେଟ୍‌ ପୁଲିସର ସୋସିଆଲ ମିଡିଆ ତରଫରୁ ଏନେଇ ପରାମର୍ଶ ଦିଆଯାଉଛି । ନକଲି ବନ୍ଧୁକ ଦେଖାଇବା, ଅନ୍ୟାନ୍ୟ ମାରଣାସ୍ତ୍ରରେ ଜନ୍ମଦିନ କେକ୍‌ କାଟିବା ଭଳି କିଛି ଆପତ୍ତିଜନକ ରିଲ୍‌ସ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ସେମାନେ ସୋସିଆଲ୍‌ ମିଡିଆରେ ଏହାକୁ ସେୟାର କରି ଆତଙ୍କ ଖେଳାଉଥିବା ନଜିର୍‌ ରହିଛି । ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆସେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାଇଛନ୍ତି ।

Leave A Reply

Your email address will not be published.